IMG 20260328 WA0266

ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ନାଟକ ‘ଅପଦାର୍ଥ’  

ରାଜ୍ୟ
ବାରିପଦା : ସମ୍ପର୍କ ଅନୁଷ୍ଠାନ ଆନୁକୂଲ୍ୟରେ ରାଉରକେଲା ସିଭିକ ସେଣ୍ଟରରେ ଆୟୋଜିତ ଜାତୀୟ ନାଟକ ମହୋତ୍ସବରେ ବାରିପଦାର ରୂପାନ୍ତର ନାଟ୍ୟ ଅନୁଷ୍ଠାନ ପ୍ରଯୋଜିତ ନାଟକ ‘ଅପଦାର୍ଥ’ ମଞ୍ଚସ୍ଥ ହୋଇଯାଇଛି I ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ଓ ପରେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ସପନ କୁମାର ପଣ୍ଡା, ସତ୍ୟ ନାରାୟଣ ଦାସ, ରବୀନ୍ଦ୍ର ବେହେରା, ଆଲୋକ କୁମାର ଦାସ, ଦିନେଶ କୁମାର ସାହୁ, ପ୍ରଦୀପ ଚୌଧୁରୀ, ମଦନ ମୋହନ ଜେନା, ପଦ୍ମିନୀ ପାଢ଼ୀ, ଲକ୍ଷ୍ମୀପ୍ରିୟା ସେନାପତି ଓ ଅପୂର୍ବା ସାହୁ ଅଭିନୟ କରିଥିବା ବେଳେ ଶୁଭେନ୍ଦୁ କୁମାର ସାହୁ ସଂଗୀତ ନିର୍ଦ୍ଦେଶନାରେ, ପ୍ରଳୟ ଶତପଥି ମଞ୍ଚସଜ୍ଜା ଓ ନାରାୟଣ ମଣ୍ଡଳ ମଞ୍ଚପରିଚାଳନାରେ ସହଯୋଗ କରିଥିଲେ I
ପୁରୁଷ ଓ ନାରୀ ଉଭୟଙ୍କର ସ୍ନେହ, ମମତା ଓ ତ୍ୟାଗର ପ୍ରତୀକ ପରିବାର I ମାତ୍ର ନାରୀ ଯେତେବେଳେ ସମସ୍ତ ସୀମା ଲଂଘନ କରି ସ୍ଵେଛାଚାରିଣୀ ହୋଇଯାଏ ସେତେବେଳେ ପୁରୁଷ ପାଲଟିଯାଏ ଅପଦାର୍ଥ I ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ ଅଭିନେତାଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ଏହି ଅବସରରେ ଅଭିନେତା ଓ ନିର୍ଦ୍ଦେଶକ ପରେଶ ସାହୁଙ୍କୁ “ସମ୍ପର୍କ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା I ନାଟକର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି I