IMG 20260328 WA0277

ବାରିପଦାରେ ଗ୍ୟାସ କଳାବଜାରୀ: ସିଲିଣ୍ଡର ଜବତ 

ରାଜ୍ୟ
  • ଅବୈଧ କାରବାର ସମ୍ପର୍କରେ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନର ଅନୁରୋଧ 
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ବାରିପଦା ମ୍ୟୁନିସିପାଲିଟି ଅଞ୍ଚଳରେ ଅବୈଧ ଭାବରେ ଏଲପିଜି ସିଲିଣ୍ଡର ମହଜୁଦ୍ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଅଭିଯୋଗକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆକସ୍ମିକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ମୁର୍ଗାବାଡ଼ି ଓ ତକତପୁର ଅଞ୍ଚଳର ମନୋଜ କୁମାର ପଣ୍ଡା ଏବଂ ନକୂଳ ଚନ୍ଦ୍ର ମନ୍ତ୍ରୀ ଙ୍କ ଗ୍ୟାସ ଚୁଲା ରିପ୍ୟାରିଙ୍ଗ ଦୋକାନ ରେ  କରାଯାଇଥିବାବେଳେ ଏଥିରେ ମୋଟ ୧୧ଟି ଘରୋଇ ଏଲପିଜି ସିଲିଣ୍ଡର ଜବତ ହୋଇଛି । ସେହିପରି ବେତନଟୀ ଅଞ୍ଚଳର ଶ୍ରୀକାନ୍ତ ଜେନା ଙ୍କ ଦୋକାନରେ ଚଢ଼ାଉ କରାଯାଇ 14 ଗୋଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଅଛି l
ସୂଚନା ଅନୁଯାୟୀ, କିଛି ବ୍ୟକ୍ତି ଘରୋଇ ଗ୍ୟାସ ସିଲିଣ୍ଡରକୁ ଅନଧିକୃତ ଭାବରେ ସଂଗ୍ରହ କରି ତାହାକୁ ବ୍ୟବସାୟିକ କାମରେ ବ୍ୟବହାର କରୁଥିବା ନେଇ ପ୍ରଶାସନଙ୍କୁ ଗୋପନ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନାକୁ ଗୁରୁତ୍ଵ ଦେଇ ତହସିଲଦାର-କମ୍-ଏକ୍ସିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ ବାରିପଦା, ସପନ କୁମାର ସାହୁଙ୍କ ନେତୃତ୍ୱରେ ଏକ ସଂଯୁକ୍ତ ଟିମ୍ ଗଠନ କରାଯାଇ ତୁରନ୍ତ ଚଢ଼ାଉ କରାଯାଇଥିଲା।
ଏହି ଅଭିଯାନରେ ଅତିରିକ୍ତ ମୁଖ୍ୟ ଯୋଗାଣ ଅଧିକାରୀ ଶିବାଶିଷ ଜେନା, ଅତିରିକ୍ତ ମୁଖ୍ୟ ଯୋଗାଣ ଅଧିକାରୀ(ବାରିପଦା ପୌରପାଳିକା) ପ୍ରଭାସ ରଞ୍ଜନ ଶତପଥୀ, ବାରିପଦା ପୌରପାଳିକାର ଯୋଗାଣ ନିରୀକ୍ଷକ ସ୍ୱେତଲିନା ପରିଡ଼ା, ବାରିପଦା ବ୍ଲକ ଯୋଗାଣ ନିରୀକ୍ଷକ ଭାଗ୍ୟଶ୍ରୀ ପତି, ବେତନଟୀ ବ୍ଲକ ଯୋଗାଣ ନିରୀକ୍ଷକ ଅଶୋକ ବେହେରା , କୁଳିଅଣା ବ୍ଲକ ଯୋଗାଣ ନିରୀକ୍ଷକ ଉତ୍କଳିକା ନାଏକ, ଶୁଳିଆପଦା ବ୍ଲକ ଯୋଗାଣ ନିରୀକ୍ଷକ ଅନମୋଲ ସାହୁ ପ୍ରମୁଖ ସକ୍ରିୟ ଭାବେ ଭାଗ ନେଇଥିଲେ। ଟିମ୍ ଦ୍ୱାରା ବିଭିନ୍ନ ଘର ଓ ସନ୍ଦେହଜନକ ସ୍ଥାନରେ ତଲାଶି କରାଯାଇ ଏହି ସିଲିଣ୍ଡରଗୁଡ଼ିକ ଜବତ କରାଯାଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜବତ ହୋଇଥିବା ସିଲିଣ୍ଡରଗୁଡ଼ିକ ଘରୋଇ ବ୍ୟବହାର ପାଇଁ ଆବଣ୍ଟିତ ଥିଲେ, ହେଁ ସେଗୁଡ଼ିକ ଅନଧିକୃତ ଭାବରେ ସଂଗ୍ରହ କରି ବ୍ୟବସାୟିକ କାର୍ଯ୍ୟରେ ଲାଗୁଥିବା ଜଣାପଡ଼ୁଛି। ଏହିପରି କାର୍ଯ୍ୟକଳାପ ସରକାରୀ ନିୟମ ଉଲ୍ଲଂଘନ ସହ ଖାଉଟି ସୁରକ୍ଷା କୁ ମଧ୍ୟ ପ୍ରଭାବିତ କରୁଛି । ଏହି ଘଟଣା ସମ୍ପର୍କରେ ଆହୁରି ତଦନ୍ତ ଜାରି ରହିଛି ଏବଂ ଯେଉଁମାନେ ଏଥିରେ ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଆଇନୁସାରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି। ଆବଶ୍ୟକ ହେଲେ ଏହି ଅଭିଯାନକୁ ଆଉରି ବ୍ୟାପକ ଭାବେ କରାଯିବ ବୋଲି ମଧ୍ୟ କୁହାଯାଇଛି।
ଜିଲ୍ଲା ପ୍ରଶାସନ ସମସ୍ତ ଗ୍ରାହକ ଓ ବ୍ୟବସାୟୀମାନଙ୍କୁ ସଚେତନ କରି କହିଛି ଯେ, ଘରୋଇ ଏଲପିଜି ସିଲିଣ୍ଡରକୁ କୌଣସି ପରିସ୍ଥିତିରେ ବ୍ୟବସାୟିକ କାମରେ ବ୍ୟବହାର କରିବା ଆଇନସମ୍ମତ ନୁହେଁ । ଏପରି କାର୍ଯ୍ୟ କରି  ଧରାପଡ଼ିଲେ ଜରିମାନା ସହ ଆଇନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ପ୍ରଶାସନ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଯେ, ଯଦି କୌଣସି ସ୍ଥାନରେ ଏପରି ଅବୈଧ ଭାବରେ ଗ୍ୟାସ ସିଲିଣ୍ଡର ମହଜୁଦ କିମ୍ବା ଦୁରୁପଯୋଗ ହେଉଥିବା ଦେଖିବେ, ତେବେ ତୁରନ୍ତ ପ୍ରଶାସନକୁ ସୂଚିତ କରନ୍ତୁ, ଯାହା ଫଳରେ ସମୟୋଚିତ ପଦକ୍ଷେପ ନିଆଯାଇପାରିବ। ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଏପରି ଅବୈଧ କାର୍ଯ୍ୟକଳାପକୁ ଦମନ କରିବାରେ ସଂକଳ୍ପବଦ୍ଧ ଓ ଆଗାମୀ ଦିନରେ ଏହିପରି ଚଢ଼ାଉ ଅବ୍ୟାହତ ରହିବ ବୋଲି ତହସିଲଦାର ବାରିପଦା ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।