IMG 20260325 WA0171

ମୟୁରଭଞ୍ଜ ଛଉ ନୃତ୍ୟରେ ଡକ୍ଟରେଟ୍ ଲାଭ କଲେ ସୁଧୀର ନାୟକ 

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଶୁନଗଡିଆର ଛଉନୃତ୍ୟ ସଂଗଠକ ତଥା ଗବେଷକ ସୁଧୀର କୁମାର ନାୟକଙ୍କୁ ଗ୍ଲୋବାଲ୍ ନେସନ୍ ଓପେନ୍ ୟୁନିଭର୍ସିଟି, ଆମେରିକା ମୟୁରଭଞ୍ଜ ଛଉ ନୃତ୍ୟ ଉପରେ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଛି I ଏହି ସମ୍ମାନ ଓଡ଼ିଶାର ଏକ ଅମୂଲ୍ୟ ସାଂସ୍କୃତିକ ନିଦର୍ଶନ ମୟୁରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ, ଗବେଷଣା ଓ ପ୍ରଚାରରେ ଶ୍ରୀ ନାୟକଙ୍କ ଦୀର୍ଘଦିନର ଅବଦାନ ପାଇଁ ପ୍ରଦାନ କରାଯାଇଛି|
ତାଙ୍କର ଗବେଷଣାତ୍ମକ ତଥ୍ୟ “ମୟୁରଭଞ୍ଜ ଛଉ ନୃତ୍ୟର ଐତିହ୍ୟ, କାର୍ଯ୍ୟକାରୀ ଓ ଆଧୁନିକ ପ୍ରସଙ୍ଗ” ନାମରେ ଲିଖିତ ହୋଇଛି ଯାହା ଏହି ନୃତ୍ୟର ପୁରୁଣା ମୂଳ, ମାନସକଳା, ଲୟ-ତାଳ ଓ ବିଶ୍ୱମାନ୍ୟତାର ସମ୍ଭାବନାକୁ ବିଶ୍ଳେଷଣ କରିଛି I ପ୍ରକାଶ ଥାଉକି ସୁଧୀର ସେଣ୍ଟର୍ ଫର୍ କଲ୍ଚରାଲ୍ ରିସୋର୍ସେସ୍ ଆଣ୍ଡ୍ ଟ୍ରେନିଙ୍ଗ୍, ନୂଆ ଦିଲ୍ଲୀର ଜଣେ ବରିଷ୍ଠ  ରିସର୍ଚ୍ ଫେଲୋ ଭାବେ ୫ ବର୍ଷଧରି ଗବେଷଣାରତ I “ମୟୁରଭଞ୍ଜ ଛଉନୃତ୍ୟ ମୋ ଗର୍ବ” ଅଭିଯାନର ସେ ଆବାହକ ଯାହାକି ମାଧ୍ୟମିକ ବିଦ୍ୟାଳୟରୁ ଆରମ୍ଭ କରି ଭୁବନେଶ୍ୱର ତଥା ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି I ଜଣେ ଅଭିନେତା ଭାବେ ସେ ୧୦୦ରୁ ଅଧିକ ନାଟକ ଓ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି|
ଉତ୍ତରସାହୀ ଛଉନୃତ୍ୟ ପ୍ରତିଷ୍ଠାନର ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଛଉ କର୍ମଶାଳା ଓ ଡିଜିଟାଲ ପ୍ରଚାର ପ୍ରସାର ମାଧ୍ୟମରେ ଯୁବ ପିଢିଙ୍କୁ ଛଉ ପ୍ରତି ଆକୃଷ୍ଟ କରିବା ସହ ମୟୁରଭଞ୍ଜ ମାଟିରୁ ଆରମ୍ଭ କରି ବିଶ୍ୱମଞ୍ଚରେ ଏହାର ପୁନରୁଜ୍ଜୀବନ ଓ ନବୀକରଣ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି I ଖବର ପାଇ ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତା, କଳାକାର ତଥା ଜିଲ୍ଲାର ଛଉପ୍ରେମୀ ଶ୍ରୀ ନାୟକ ଙ୍କୁ  ଅଭିନନ୍ଦନ ଜଣାଇଛନ୍ତି I