ସ୍ୱରାଜ ବାରିକ “ମୟୂରଭଞ୍ଜ ଛଉ ନୃତ୍ୟ ମୋ ଗର୍ବ” ଅଭିଯାନର ବ୍ରାଣ୍ଡ୍ ଏମ୍ବାସାଡର୍

ରାଜ୍ୟ
ବାରିପଦା : ମୟୂରଭଞ୍ଜର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଅଂଶ ମୟୂରଭଞ୍ଜ ଛଉ ନୃତ୍ୟକୁ ବିଶ୍ୱପଟରେ ପ୍ରତିଷ୍ଠା କରିବା ପାଇଁ ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ, ବାରିପଦା ଦ୍ୱାରା “ମୟୂରଭଞ୍ଜ ଛଉ ନୃତ୍ୟ ମୋ ଗର୍ବ” ନାମକ ଅଭିଯାନ ଗତ ୨୦୨୫ ଜୁନ ୧୫ ତାରିଖ ଆରମ୍ଭ କରାଯାଇଥିଲା I ଏହି ଅଭିଯାନର ବ୍ରାଣ୍ଡ୍ ଏମ୍ବାସାଡର୍ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତା ସ୍ୱରାଜ ବାରିକଙ୍କୁ ମନୋନୀତ କରାଯାଇଛି I  ଆଜି ଅମ୍ବିକାସାହି ସ୍ଥିତ ପ୍ରତିଷ୍ଠାନର କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି I
ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର ସମ୍ପାଦକ ସୁଧୀର କୁମାର ନାୟକଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଓ ସ୍ୱତନ୍ତ୍ର ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ବ୍ରାଣ୍ଡ୍ ଏମ୍ବାସାଡର୍ ସ୍ୱରାଜ ବାରିକ ପ୍ରମୁଖ ଉପସ୍ଥିତ ରହି ଅଭିଯାନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଏହାର ସଫଳତା କାମନା କରିଥିଲେ I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରତିଷ୍ଠାନର କୋଷାଧ୍ୟକ୍ଷ ସରୋଜ କୁମାର ଶତପଥି  ଧନ୍ୟବାଦ୍ ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଣବ ଦେବ, ହେମନ୍ତ କୁମାର ନାୟକ, ବିଭୁତିଭୂଷଣ ଦାସ ଓ ଜୟଦେବ ଦାସ ପ୍ରମୁଖ ଉପସ୍ଥିତ ରହି  ଛଉ ନୃତ୍ୟର ସଂରକ୍ଷଣ ଓ ପ୍ରଚାର ପାଇଁ ନିଜନିଜର ସୁଚିନ୍ତିତ ମତ ଦେଇଥିଲେ I
ଏହି ଅଭିଯାନ ଛଉ ନୃତ୍ୟକୁ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରଚାର କରି ଯୁବପିଢ଼ିକୁ ଆକର୍ଷିତ କରିବ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟଶାଳା, ଆନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାମାଜିକ ମିଡିଆ କ୍ୟାମ୍ପେନ୍ ଯୋଜନାରେ ରହିବ ବୋଲି ସମ୍ପାଦକ ଶ୍ରୀ ନାୟକ ପ୍ରକାଶ କରିଥିଲେ I ଏହି ଅବସରରେ ଶ୍ରୀ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I