ବାରିପଦା : ଚଳିତ ମାସ ୧୬ ଓ ୧୭ ତାରିଖ କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆନ୍ତଃ-ଜିଲ୍ଲା ବରିଷ୍ଠ ରଗବୀ ୭ ଏସ୍ ପ୍ରତିଯୋଗିତା – ୨୦୨୬ ରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମହିଳା ଦଳ ଏକ ଚିତ୍ତାକର୍ଷକ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲ୍ ମ୍ୟାଚ୍ରେ ଶକ୍ତିଶାଳୀ ‘କିସ୍’ (KISS) ଦଳକୁ ୧୨-୧୦ ପଏଣ୍ଟରେ ପରାସ୍ତ କରି ଏକାଡେମୀ ଇତିହାସ ରଚିଛି। ପୂର୍ବରୁ ଦଳ ବାଲେଶ୍ୱରକୁ ୫୨-୦୦, କେନ୍ଦ୍ରାପଡାକୁ ୫୯-୦୦, ଜଗତସିଂହପୁରକୁ ୪୫-୦୦ ଏବଂ ସେମି ଫାଇନାଲରେ ମୟୂରଭଞ୍ଜକୁ ୨୬-୦୦ ବ୍ୟବଧାନରେ ପରାସ୍ତ କରି ନିଜର ଦବଦବା ବଜାୟ ରଖିଥିଲା।
ଏହା ସହିତ ଏକାଡେମୀର ପୁରୁଷ ଦଳ ମଧ୍ୟ କ୍ୱାର୍ଟର ଫାଇନାଲରେ ସାହସିକତାର ସହ ଲଢି ସମସ୍ତଙ୍କର ପ୍ରଶଂସା ସାଉଁଟିଛନ୍ତି। ଏହି ଅବସରରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ରଗବୀ ଫୁଟବଲ ସଂଘର ସଭାପତି, ସମ୍ପାଦକ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ବିଶେଷ ଭାବେ ଧନ୍ୟବାଦ ଅର୍ପଣ କରାଯାଇଛି। ସଂଘର ପ୍ରୋତ୍ସାହନ ଓ ସହଯୋଗ ଯୋଗୁଁ ଏକାଡେମୀ ପ୍ରଥମ ଥର ପାଇଁ ନିଜସ୍ୱ ନାମରେ ଏହି ରାଜ୍ୟସ୍ତରୀୟ ମଞ୍ଚରେ ଖେଳିବାକୁ ସୁଯୋଗ ପାଇଥିଲା।
ଖେଳାଳିମାନଙ୍କର ଏହି କଠିନ ପରିଶ୍ରମ ଓ ସମର୍ପଣ ପାଇଁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ, ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ କୋଚ୍ ଚନ୍ଦନ ସିଂ ଓ ଅଜିତ କୁମାର ହାଁସଦା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ରଗବୀ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଏଭଳି ସୁଯୋଗ ପ୍ରଦାନ ପାଇଁ ଏକାଡେମୀର ସମସ୍ତ ଖେଳାଳୀ ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି।
