ବାରିପଦା : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବାରିପଦା ପକ୍ଷରୁ ଜିଲାସ୍ତରୀୟ ସୂଚନା ଅଧିକାର ଆଇନ-୨୦୦୫ ସମ୍ପର୍କିତ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଶେଷ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ଯୋଗଦେଇ ସୂଚନା ଅଧିକାର ଆଇନ ଉପରେ ବିଶେଷ ମତ ରଖିଥିଲେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରଶିକ୍ଷଣ କର୍ମଶାଳାର ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୂଚନା ସହ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଏବଂ ବିଭିନ୍ନ ବିଭାଗୀୟ ଅଧକାରୀମାନଙ୍କୁ ସ୍ଵାଗତ କରିଥିଲେ ।
ସୂଚନା ଅଧିକାର ଆଇନ ବିଶେଷଜ୍ଞ ରଶ୍ମିରଞ୍ଜନ ରାଉତ ଆଇନର ବିଭିନ୍ନ ଧାରା, ଆବେଦନ, ସମୟସୀମା ମଧ୍ୟରେ ତଥ୍ୟ ପ୍ରଦାନ, ସରକାରୀ ୱେବସାଇଟରେ ସ୍ୱେଚ୍ଛାକୃତ ଭାବେ ନିଜସ୍ଵ କାର୍ଯ୍ୟାଳୟର ୧୭ ପରିଶିଷ୍ଟ ତଥ୍ୟାବଳୀକୁ ନିୟମିତ ଅପଡେଟ, ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵ ଓ ଅନୁସରଣ କରାଯାଉଥିବା ତଥ୍ୟ ଆଇନଗତ ପ୍ରକ୍ରିୟା, ଆବେଦନ ଶୁଳ୍କ ଓ ନକଲ ପ୍ରଦାନ ପାଇଁ ଧାର୍ଯ୍ୟ ହୋଇଥିବା ଅର୍ଥ ରାଶି ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ଖାତା, ତୃତୀୟ ପକ୍ଷ ଅଡିଟ ଉପରେ ବିଶେଷ ଆଲୋଚନା କରିଥିଲେ । ଏହାସହ ପିପିଆଇଟି ମାଧ୍ୟମରେ ପ୍ରଦର୍ଶିତ କରି ତାଲିମ ଦେଇଥିଲେ । ଏହି କର୍ମଶାଳାରେ ଜିଲାସ୍ତରୀୟ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ, ସହ ଜନ ସୂଚନା ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ସୂଚନା ଅଧିକାର ଆଇନ ଉପରେ ପ୍ରଶିକ୍ଷଣ ନେଇଥିଲେ ।
ଏହି ଅବସରରେ ସୂଚନା ଅଧିକାର ଆଇନ ଉପରେ‘ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ତର୍କ ପ୍ରତିଯୋଗିତାର ସଫଳ ହୋଇଥିବା ପ୍ରବୀଣ ପ୍ରଧାନ (୧ମ), ଜ୍ୟୋତିପ୍ରକାଶ ଶତପଥୀ(୨ୟ), ଶୁଭସ୍ମିତା ମହାନ୍ତ(୩ୟ) ଏବଂ ଇଂରାଜୀ ତର୍କ ପ୍ରତିଯୋଗିତାରେ ପ୍ରତ୍ୟୁଷା ପାଢ଼ୀ (୧ମ), ପ୍ରତୀକ୍ଷା ପ୍ରୀୟଦର୍ଶିନୀ ପଣ୍ଡା (୨ୟ), ସ୍ୱୟଂପ୍ରଭା ବେହେରା(୩ୟ) ଙ୍କୁ ପ୍ରମାଣପତ୍ର ଓ ନଗଦ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମୁନ୍ଦୁୟା ପରିଚାଳନା କରିଥିବାବେଳେ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।
