IMG 20260228 WA0133

ଗ୍ରୀଷ୍ମ ପ୍ରବାହ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
  • ଅଂଶୁଘାତର ମୁକାବିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ  
 ବାରିପଦା: ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ମିଳିତ ଆନୁକୂଲ୍ୟରେ ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ଦ୍ଵାରା  ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ନାରାୟଣ ପ୍ରସାଦ ବେହେରାଙ୍କ ପୌରହିତ୍ୟରେ  ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ଆସିଷ୍ଟାଣ୍ଟ ପ୍ରଫେସର  ରାଇମଣି ମାରାଣ୍ଡି ସ୍ଵାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ. ତତ୍ପରେ  ଅଧ୍ୟକ୍ଷ ଡ଼. ବେହେରା ଜଳବାୟୁ ପରିବର୍ତ୍ତନ ଓ ବିଶ୍ଵ ତାପମାନ ବୃଦ୍ଧି ସଙ୍ଗେ ସଙ୍ଗେ ଅଂଶୁଘାତର ମୁକାବିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ଵାନ ଓ  ଏଥିପାଇଁ ସଠିକ ଯୋଜନା ପ୍ରସ୍ତୁତ, ଯୋଜନାର ସଫଳ ରୂପାୟନ, ପରିବେଶର ସୁରକ୍ଷା, ସରଳ ଜୀବନଯାପନ, କାର୍ବନ୍ ନିର୍ଗମନ ହ୍ରାସ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ, ବିଭାଗୀୟ ସମନ୍ୱୟ ସହିତ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି  ମତବ୍ୟକ୍ତ କରିଥିଲେ. ସେହିପରି ଉତ୍ତପ୍ତ ବିଶ୍ଵ ନୁହଁ ବରଂ ଶୀତଳ, ନିର୍ମଳ ଓ ସୁସ୍ଥ ବିଶ୍ଵ ଜୀବନକୁ ପୂର୍ଣ୍ଣାଙ୍ଗ ଓ ସୁନ୍ଦର କରିଥାଏ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଡିପିଓ ଶ୍ରୀ ଜଗବନ୍ଧୁ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ. ନିଜେ ସଚେତନ ହେବା ଓ ଅନ୍ୟମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ  ଜିଜ୍ଞାସା, ପରିଶ୍ରମ, କଳ୍ପନା, ସୃଜନଶୀଳତା, ବୈଜ୍ଞାନିକ ମନୋଭାବ ଓ ଅଭିନବ ଜ୍ଞାନ କୌଶଳର ଉଦ୍ଭାବନ ଉପରେ ଗୁରୁତ୍ଵ ଦେଇ ଭବିଷ୍ୟତ ପୃଥିବୀର ସଫଳ ଦାୟାଦ ଓ ନବନିର୍ମାଣର ରୂପକାର ହୋଇ ଆଗାମୀ ଦିନରେ ଆସୁଥିବା ସବୁଯାକ ପ୍ରତିବନ୍ଧକ ଓ ଆହ୍ଵାନ ସବୁକୁ ଛାତ୍ରଛାତ୍ରୀମାନେ ସମାଧାନ କରି ପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ଏହି ଅବସରରେ ମାଷ୍ଟର ଟ୍ରେନର ଭାବରେ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟର ଡାକ୍ତର ବିଭୂଦତ୍ତ ଦାସ ଓ ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି ହିଟ୍ ୱେଭ, ହିଟ୍ ଷ୍ଟ୍ରୋକ୍, ହିଟ୍ ଇଲନେସ୍, ହିଟ୍ କ୍ରାମ୍ପ ଆଦି ବିଷୟରେ ବର୍ଣ୍ଣନା କରିବା ସହିତ ଏହାର ପ୍ରତିକାର ଓ ପ୍ରାଥମିକ ଚିକିତ୍ସା ବିଷୟରେ ବ୍ୟାପକ ଭାବେ ବୁଝାଇଥିଲେ ।
ପ୍ରଫେସର ଡା. ଅନାମ ଚରଣ ରାଉଳ ଅଂଶୁଘାତ ସମ୍ବନ୍ଧୀୟ ସରକାରଙ୍କ ନିୟମାବଳୀର ପାଳନ ଓ  ସଚେତନତା ବାର୍ତ୍ତା ପ୍ରଚାର ଉପରେ ଗୁରୁତ୍ଵ ଦେଇଥିଲେ ।
ସର୍ବଶେଷରେ ପ୍ରଫେସର ଡା. ହରପ୍ରସାଦ ମହାପାତ୍ର ଉପସ୍ଥିତ ଧନ୍ୟବାଦ ଅର୍ପଣ କରିଥିଲେ ।  ମହାବିଦ୍ୟାଳୟର ପ୍ରାଧ୍ୟାପକ ଆଲେକ୍ସ ହେମ୍ବ୍ରମ,  ଦୀପିକା ରାଣା, ସୁପ୍ରିମ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ ।