IMG 20260227 WA0222

ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟ (ଗୃହତାଲିକା ଓ ଗୃହ ଗଣନା) ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ

ରାଜ୍ୟ
ବାରିପଦା : ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଗୃହତାଲିକା ଓ ଗୃହ ଗଣନା ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ୟକ୍ରମ ୨୬ ଓ ୨୭ ଫେବୃଆରୀ ୨୦୨୬ ତାରିଖରେ ବାରିପଦା ଜିଲ୍ଲା ପରିଷଦ ସମ୍ମେଳନ କକ୍ଷରେ ସଫଳତାର ସହିତ ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ  କାର୍ଯ୍ୟକ୍ରମରେ  ଜନଗଣନା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ  ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଗୁରୁତ୍ୱ ଦେଇଛନ୍ତି ।
ଏହି ପ୍ରଶିକ୍ଷଣରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଚାର୍ଜ ଜନଗଣନା ଅଧିକାରୀ, ନଗରପାଳିକା ଓ ୟୁଏଲ୍‌ବି/ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ ଓ ସମ୍ବନ୍ଧିତ କର୍ମଚାରୀ ନିଜ ନିଜ ସହାୟକ ସହିତ ଅଂଶଗ୍ରହଣ କରିଥିଲେ। ଜନଗଣନା ୨୦୨୭ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ କାର୍ଯ୍ୟାନ୍ୱୟନ କରିବା ପାଇଁ ଜିଲ୍ଲା ଓ ଚାର୍ଜ ସ୍ତର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ସମୟରେ ଗୃହତାଲିକା ଓ ଗୃହ ଗଣନାର ପ୍ରକ୍ରିୟା, ନିୟମାବଳୀ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରାଯାଇଥିଲା। ବିଶେଷକରି ଡିଜିଟାଲ୍ ପ୍ରଣାଳୀର ଉପଯୋଗ, CMMS ପୋର୍ଟାଲ ଓ HLBC ୱେବ୍ ଆପ୍ଲିକେଶନ୍‌ର ବିଭିନ୍ନ ବୈଶିଷ୍ଟ୍ୟ ବିଷୟରେ ପ୍ରାୟୋଗିକ ଶିକ୍ଷା ଦିଆଯାଇଥିଲା। ତଥ୍ୟର ସଠିକତା, ସମୟୋପଯୁକ୍ତ ରିପୋର୍ଟ ପ୍ରଦାନ, ଡିଜିଟାଲ୍ ମନିଟରିଂ ବ୍ୟବସ୍ଥା ଓ ସଠିକ ଡକ୍ୟୁମେଣ୍ଟେସନ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜନଗଣନା ନିର୍ଦ୍ଦେଶାଳୟ ର ସହକାରୀ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାସ, ଷ୍ଟାଟିଷ୍ଟିକାଲ ଇନଭେଷ୍ଟିଗେଟର ଏମ୍.ସି ପୁରୁଧୁଲ୍, ତନ୍ମୟ ଗୁପ୍ତା  ପ୍ରମୁଖ ଉପସ୍ଥିତ ରହି ତାଲିମ୍ ଦେବା ସହ ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଗଣନା ପ୍ରକ୍ରିୟା, ସତ୍ୟାପନ ପଦ୍ଧତି, କ୍ଷେତ୍ରସ୍ତରର ସମନ୍ୱୟ ଓ ଅଭିଯୋଗ ନିରାକରଣ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଭାବେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀଗଣ ମଧ୍ୟ ଆଲୋଚନାରେ ସକ୍ରିୟ ଭାଗ ନେଇ ନିଜ ନିଜ ସନ୍ଦେହ ଦୂର କରିଥିଲେ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସନ, ନଗର ପ୍ରଶାସନ, ରେଭେନ୍ୟୁ ବିଭାଗ ଓ ଅନ୍ୟାନ୍ୟ ସମ୍ବନ୍ଧିତ ବିଭାଗମାନଙ୍କ ମଧ୍ୟରେ ସମନ୍ଵୟକୁ ସୁଦୃଢ଼ କରାଯାଇଥିଲା। ସେନସସ୍ ୨୦୨୭ ପ୍ରଥମ ପର୍ଯ୍ୟାୟରେ ଘର ଗଣନା, ଆବାସିକ ପରିସ୍ଥିତି, ଅନ୍ୟାନ୍ୟ ଉପଲବ୍ଧ ସୁବିଧା ସହିତ ବିଭିନ୍ନ ମୌଳିକ ତଥ୍ୟ ସଂଗ୍ରହ କରାଯିବ, ଯାହା ପରବର୍ତ୍ତୀ ଜନଗଣନା ପର୍ଯ୍ୟାୟ ପାଇଁ ପଥ ଉନ୍ମୁକ୍ତ କରିବ । ଜିଲ୍ଲା ପ୍ରଶାସନ ଜନଗଣନା ୨୦୨୭ କାର୍ଯ୍ୟକ୍ରମକୁ ସଠିକ, ପାରଦର୍ଶୀ ଓ ପ୍ରଯୁକ୍ତିବିଦ୍ୟା ଯୁକ୍ତ ଭାବେ ସଫଳତାର ସହିତ କାର୍ଯ୍ୟାନ୍ୱୟନ କରିବାକୁ ଆଶା ରଖିଛି । ସଭା ଶେଷରେ ଡେପୁଟି କଲେକ୍ଟର ଦୀପାଞ୍ଜଳୀ ସିଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।