ବାରିପଦା-20-2- ଗତକାଲି ବିଳମ୍ବିତ ରାତ୍ରୀର ଶିମିଳିପାଳ ଟାଇଗର ରିଜିର୍ଭ ରେ ଅସ୍ତ୍ରଶସ୍ତ୍ର ସହ ଏକ ଶିକାରୀଦଳ ପଶିଥିବାର ବନବିଭାଗକୁ AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) କ୍ୟାମେରା ଦ୍ୱାରା ସୂଚନା ମିଳିଥିଲା । ଯାହାକୁ ନେଇ ବନବିଭାଗ ପକ୍ଷରୁ 24 ଘଣ୍ଟିଆ ସତର୍କତା ଅବଲମ୍ବନ କରାଯାଇଥିଲା । ରିୟଲ ଟାଇମ ଆଲର୍ଟ ପାଇବା ପରେ ଶିମିଳିପାଳ ର ଦକ୍ଷିଣ ବିଭାଗର କର୍ମଚାରୀମାନଙ୍କର ଦୃଢ଼ ପ୍ରୟାସ ଏବଂ ସର୍ଚ୍ଚ ଅପରେସନ ଫଳରେ 39 ଜଣ ଶିକାରୀ କୌଣସି ଉପାୟ ନପାଇ ବନବିଭାଗ ଆଗରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ବାଧ୍ୟ ହାଇଥିଲେ । ସେମାନଙ୍କ ପାଖରୁ ନଅ ଗୋଟି ବନ୍ଧୁକ, କୋଡିଏ ରୁ ଅଧିକ ଧନୁତୀର, ବାରୁଦ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଅଛି । ଶିକାରୀମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଜିତୁସାହି, ମହାଲିସାହି, ଲୁକୁଇଡା, ମାଟକମାଟଲା, ଖଲାଡି ଏବଂ ଲଙ୍ଗାଡି ଗ୍ରାମର ବାସିନ୍ଦା ଅଟନ୍ତି । ସେମାନଙ୍କ ନାମରେ ଜେନାବିଲ ୱାଇ୍ଲଡଲାଇଫ ରେଞ୍ଜରେ ଏକ କେସ ରୁଜୁ କିରାଯାଇଅଛି । ଏହି ଅଭିଯାନରେ ବନବିଭାଗ ପକ୍ଷରୁ ତିନିଜଣ ସ୍ପେସିଆଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଙ୍କ ସମେତ ତିନିଗୋଟି ରେଞ୍ଜର କର୍ମଚାରୀମାନେ ସାମିଲ ଥିଲେ । ସଠିକ ସମୟରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ରିୟଲ ଟାଇମ ଚିହ୍ନଟ ଏବଂ ସକ୍ରୀୟ ଗୁଇନ୍ଦାଗିରି ଯୋଗୁଁ ଏହି ବଡ଼ଧରଣର ଶିକାର ଉଦ୍ୟମ କୁ ରୋକାଯାଇପାରିଛି ବୋଲି ଶିମିଳିପାଳ ଡେପୁଟି ଡାଇରେକ୍ଟର ଡ଼. ସମ୍ରାଟ ଗୌଡା ସୂଚନା ଦେଇଛନ୍ତି । ଏହି ପ୍ରକାର ନୂତନ ରଣନୀତି ଆଗାମୀ ଦିନରେ ଶିମିଳିପାଳ ରେ ବନ୍ୟଜନ୍ତୁ ଙ୍କ ସୁରକ୍ଷା ଦିଗରେ ଅଧିକ ସହାୟକ ହୋଇପାରିବ ।

