ବାରିପଦା : ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ମୋରଡ଼ା ବ୍ଲକ ର ଟୁକପଳାସିଆ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହକୁ ଆଜି ବନବିଭାଗ ଉଦ୍ଧାର କରିଅଛି । ଛୁଆ ହାତୀର ବୟସ ପାଖାପାଖୀ ଏକ ରୁ ଦେଢ଼ ମାସ ହେବ ବୋଲି ଅନୁମାନ କରାଯାଉଅଛି । ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବାବେଳେ ହାତୀଛୁଆଟି ମରିପଡ଼ିଥିବାର ଦେଖି ବନବିଭାଗ କୁ ଖବର ଦେଇଥିଲେ ।
ଖବର ପାଇ ବାରିପଦା ବନଖଣ୍ଡ ଅଧିକାରୀ ଙ୍କ ସମେତ ରସଗୋବିନ୍ଦପୁର ରେଞ୍ଜର ଏବଂ ଅନ୍ୟ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ହାତୀଛୁଆ ର ମୃତ ଦେହ ଉଦ୍ଧାର କରିଛନ୍ତି । ସୂଚନା ଯୋଗ୍ୟକି ବିଗତ କିଛି ଦିନ ହେବ ଏକ ତେର ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଉକ୍ତ ଅଞ୍ଚଳରେ ଡେରା ପକାଇଛନ୍ତି । ତେଣୁ ଉକ୍ତ ହାତୀପଲ ରେ ଥିବା ଦନ୍ତାହାତୀ ର ଆକ୍ରମଣରେ ହାତୀ ଛୁଆର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଅଛି । ତେବେ ଏ ବାବଦରେ ବନବିଭାଗ ପକ୍ଷରୁ ତଦନ୍ତ ଜାରିରହିଅଛି ।
