ଭୁବନେଶ୍ୱର, ୦୩/୦୨: ଓଡ଼ିଶାର ବରେଣ୍ୟ ମନୀଷୀମାନଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ଗଠନ କରିବା ପାଇଁ ସ୍ଥାନୀୟ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଆହ୍ୱାନ ଦିଆଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ | ଏହି କାର୍ଯ୍ୟକ୍ରମରେ ‘ପୂଜ୍ୟ ପୂଜା ଓଡ଼ିଶା’ର ସମ୍ପାଦକ ତଥା ବିଶିଷ୍ଟ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଓ ଆଲୋଚକ ଭାବେ ଯୋଗ ଦେଇଥିଲେ। ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆଧ୍ୟାତ୍ମିକତା କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଏକ ଉନ୍ନତ ଜୀବନ ଜିଇଁବାର କଳା। ଗୀତା ଓ ଭାଗବତ ପରି ମହାନ ଗ୍ରନ୍ଥର ପଠନ ମଣିଷକୁ ସଂଘର୍ଷ ସମୟରେ ଧୈର୍ଯ୍ୟବାନ ହେବାକୁ ଶିକ୍ଷା ଦେଇଥାଏ ବୋଲି ସେ ପ୍ରକାଶ କରିଥିଲେ।


ଏହି ଆଲୋଚନାଚକ୍ରରେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ଏହି ମାଟିର ବରେଣ୍ୟ ସନ୍ତାନମାନଙ୍କ ସମ୍ପର୍କରେ ଏକ ଗଭୀର ଆଲୋଚନା କରାଯାଇଥିଲା। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ସାରସ୍ୱତ ସାଧନାଠାରୁ ଆରମ୍ଭ କରି ମଧ୍ୟଯୁଗୀୟ ଓଡ଼ିଶାର ଭକ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା ‘ପଞ୍ଚସଖା’ ଏବଂ ଜାତୀୟତାବାଦର ପ୍ରତୀକ ‘ସତ୍ୟବାଦୀ ପଞ୍ଚସଖା’ଙ୍କ ତ୍ୟାଗପୂତ ଜୀବନୀ ଉପରେ ସୁବିସ୍ତୃତ ଆଲୋକପାତ କରିଥିଲେ। ଏଥିସହିତ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦୂରଦୃଷ୍ଟି ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିବା ବେଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗପୂତ ଜୀବନ ଓ ସେବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ | ଏହି ମହାନାୟକମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତିର ଉନ୍ନତି ପାଇଁ ନିଜକୁ ସମର୍ପିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜୀବନର ସଫଳତା ପାଇଁ ସେ ‘ଆତ୍ମବିଶ୍ୱାସ, ଈଶ୍ୱରଙ୍କ ଉପରେ ଅଟଳ ଆସ୍ଥା ଏବଂ କଠିନ ପରିଶ୍ରମ’— ଏହି ତିନୋଟି ସୂତ୍ରକୁ ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଗୁରୁତ୍ୱ ଦେଇଥିଲେ। ଗୀତା ଓ ଭାଗବତ ପଠନ କରିବା ଦ୍ୱାରା ଧୈର୍ଯ୍ୟ ବୃଦ୍ଧି ପାଏ ବୋଲି ସେ ମତ ଦେଇଥିଲେ।
ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଉମାକାନ୍ତ ବଡଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଛାତ୍ରଛାତ୍ରୀଙ୍କ ମନରେ ନୂଆ ଉତ୍ସାହ ଓ ସକାରାତ୍ମକ ଚିନ୍ତାଧାରା ଭରିଦେଇଥିଲା।

