WhatsApp Image 2026 01 26 at 9.35.07 PM

‘ପ୍ରତିଶ୍ରୁତି’ ପକ୍ଷରୁ ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ ଓ ସାରସ୍ୱତ ସମାରୋହ

ରାଜ୍ୟ

ବାରିପଦା : ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବହୁଭାଷୀ କବି ସମ୍ମିଳନୀ ପ୍ରତିଷ୍ଠାନର ସ୍ଥାୟୀ ସଭାପତି ଡା. ପାର୍ଥସାରଥି ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ଛଉପଡିଆଠାରେ ହେଉଥିବା ପ୍ରସ୍ତକମେଳା ମଣ୍ଡପରେ ଏକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୁଶ୍ରୀ ଭାରତୀ ବେବର୍ତ୍ତା ବନ୍ଦେ ମାରତମ ତଥା ଶ୍ରୀଜଗନ୍ନାଥଙ୍କ ଭଜନ ଅତି ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ । ପରେ ପ୍ରତିଶ୍ରୁତି ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ ସତ୍ୟ, ବାସ୍ତବତା, କଳ୍ପନା ଓ ସୌନ୍ଦର୍ଯ୍ୟବୋଧର ସମନ୍ୱୟରେ କବିତା ସାର୍ବଜନୀନ ଲାଭ କରିଥାଏ ବୋଲି କହିବା ସହିତ ସମାଜକୁ ସୁଶୃଙ୍ଗଳିତ କରିବା ପାଇଁ କବି ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ଉଲ୍ଲେଖ କରିଥିଲେ । ଏହି ସମାରୋହରେ ବାରିପଦାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି, ବାରିପଦା ଉପ-ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଉଦ୍‌ଘାଟକ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟବକ୍ତା, ସମାଜସେବୀ ଶରତ ଚନ୍ଦ୍ର ନାୟକ ବିଶିଷ୍ଟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଶାନ୍ତ କୁମାର ବସା, ସମ୍ମାନିତ ବକ୍ତା ଓ ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସାହିତ୍ୟ ଓ କବିତାର ବିଭିନ୍ନ ଦିଗ ଦିଗନ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ସେଠୀ କବିତା ମାଧ୍ୟମରେ ନିଜର ଅଭିଭାଷଣ ରଖି କବି ଅପରୂପକୁ ରୂପ ଦିଏ, ଅବ୍ୟକ୍ତକୁ ବ୍ୟକ୍ତ କରେ, କୁତ୍ସିତକୁ ଅପରୂପ ଲାବଣ୍ୟ ପ୍ରଦାନ କରିଥାଏ ବୋଲି ପ୍ରକାଶ କରିଥିଲେ । ପରେ ସୁଗାୟିକା ଭାରତୀ ବେବର୍ତ୍ତା ଓ କବି ଗୋପାଳ ଚନ୍ଦ୍ର ସାଓଙ୍କ ସଂଯୋଜନାରେ ୯୫ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ଓଡିଆ, ହିନ୍ଦୀ, ସାନ୍ତାଳୀ, ମୁଣ୍ଡାରୀ, ହୋ, ଇଂରାଜୀ ଓ ବଙ୍ଗଳା ପ୍ରଭୃତି ଭାଷାରେ ସ୍ୱରଚିତ କବିତା ଆବୃତ୍ତି କରି ପରିବେଶକୁ ଭାବମୟ କରିଥିଲେ । ଏହି ଅବସରରେ ବେତନଟୀରୁ ପ୍ରକାଶିତ କଇଁଫୁଲ ପତ୍ରିକାର ୧୦ମ ବର୍ଷ ପ୍ରଥମ ସଂଖ୍ୟା ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପରେ ସଭାପତି ଡା. ଜେନା ପଠିତ କବିତା ଗୁଡିକର ସମୀକ୍ଷା କରି ଦେଶପ୍ରେମ, ଆଧ୍ୟାତ୍ମିକ ଚେତନା ତଥା ମା\’ ମାଟି ପ୍ରତି ମମତ୍ୱ ପ୍ରକାଶ କରୁଥିବା କବିତା ଗୁଡିକର ସୁନ୍ଦର ସମୀକ୍ଷା କରିଥିଲେ । ଏହି ଉତ୍ସବରେ ଡ. ଶଶିଧର ବିଶ୍ୱାଳ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଡ. ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି, କବୟିତ୍ରୀ, ସାମ୍ବାଦିକ, ବୁଦ୍ଧିଜୀବି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Shrutilipi ad