ବାରିପଦା: ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୬ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା କିଶୋର କୁମାର ଆଚାର୍ଯ୍ୟ, ଅତିରିକ୍ତ ଚିକିତ୍ସା ଅଧିକାରୀ ଡା ବିଜୟ କୁମାର ଦାଶ,ଡି ପି ଏମ ଅନିଲ କୁମାର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ସମନ୍ୱୟ କମିଟିର ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ।ଜାତୀୟ କୁଷ୍ଠ ନିବାରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଅଭିଯାନକୁ ଜାନୁଆରୀ ୩୦ ତାରିଖରେ ବିଶ୍ୱ କୁଷ୍ଠ ଦିବସ ଭାବେ ପାଳନ କରାଯାଉଥିବାରୁ ଏହି ବୈଠକରେ କୁଷ୍ଠରୋଗକୁ ହ୍ରାସ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ବିଲୋପ କରିବା ପାଇଁ ଜିଲ୍ଲାବ୍ୟାପୀ କୁଷ୍ଠରୋଗୀ ଚିହ୍ନଟ ଏବଂ ଉପଚାର ପାଇଁ ଉନ୍ନତ ମାନର ଚିକିତ୍ସା ସେବା ନିମନ୍ତେ ବ୍ୟାପକ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ଜାନୁଆରୀ ମାସ ୩୦ ତାରିଖରୁ ଆଗାମୀ ୧୩ ଫେବୃଆରୀ ,୨୦୨୬ ପର୍ଯ୍ୟନ୍ତ ଏହି ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବିଭାଗର ସମନ୍ୱୟ ରେ ସଫଳତା ସହିତ ସମ୍ପାଦନ କରାଯିବ। ଚଳିତ ବର୍ଷ ଏହି ସଚେତନତା କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ” ଅନ୍ତ ଭେଦଭାବର, ସୁରକ୍ଷା ମର୍ଯ୍ୟାଦାର “
ଏହି ଅବସରରେ ଶୂନ୍ୟ କୁଷ୍ଠ ଅଭିଯାନ ମାଧ୍ୟମରେ ଜିରୋ ସଂକ୍ରମଣ ଏବଂ ରୋଗ, ଶୂନ୍ୟ ଅକ୍ଷମତା ଓ ଶୂନ୍ୟ ଭେଦଭାବ ଲକ୍ଷ୍ୟ ନେଇ, କୁଷ୍ଠ ରୋଗର ନିରାକରଣ ଏବଂ ଚିକିତ୍ସା ବିଷୟରେ ନାଗରିକମାନଙ୍କୁ ଶିକ୍ଷା ଦେବା ପାଇଁ ବିଦ୍ୟାଳୟ ତଥା ସର୍ବସାଧାରଣ ସ୍ଥାନରେ ପ୍ରଶାସନ ପକ୍ଷରୁ ବାର୍ତ୍ତା ପ୍ରଚାର କରାଯିବ ଓ ଏହା ସହିତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯିବ। ସମସ୍ତଙ୍କ ସହଭାଗୀତାରେ ଏହାକୁ ବିଲୋପ କରିବା ପାଇଁ ପ୍ରୟାସ କରାଯିବ। ଆୟୋଜିତ ଏହି ବୈଠକରେ ଡା. ଶାନ୍ତନୁ କୁମାର ଦାଶ, ଡା. ଅଭୟ କୁମାର ଦାସ ଓ କୁଷ୍ଠ ରୋଗ ପରାମର୍ଶଦାତା ଡା. ତପନ କୁମାର ମହାପାତ୍ର, ଏହି ଅଭିଯାନ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକାରୀତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ବିଭାଗୀୟ ଅଧିକାରୀମାନଙ୍କ ସହ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ କୁଷ୍ଠ ମୁକ୍ତ ହୋଇଥିବା କିଛି ବ୍ୟକ୍ତି ବିଶେଷ ଓ ଲେପ୍ରସି କଲୋନୀର କିଛି ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ।
ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଉପସ୍ଥିତ ଅଧିକାରୀଙ୍କୁ ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ଶପଥ ପାଠ କରାଇଥିଲେ । ପ୍ରକାଶ ଥାଉକି କେନ୍ଦ୍ରୀୟ କୁଷ୍ଠ ଡିଭିଜନ୍ ଦ୍ୱାରା ପ୍ରଣୀତ ଜାତୀୟ ନୀତି ଯୋଜନା ୨୦୨୩-୨୭ ଅନୁଯାୟୀ ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଠନ ଆଭିମୁଖ୍ୟ ରଖାଯାଇଛି।
