ଭୁବନେଶ୍ୱର (୩୦/୦୫) : ପଣ୍ଡିତ ନିରଞ୍ଜନ ରଥ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ, ପ୍ରବୀଣ ସାମ୍ବାଦିକ, ବରିଷ୍ଠ ସମାଜସେବୀ ଏବଂ ପ୍ରାଚୀନ ସାହିତ୍ୟର ଜଣେ ଅଗାଧ ବିଦ୍ୱାନ ଥିଲେ। ସଂସ୍କୃତ, ବେଦ ଓ ବେଦାନ୍ତ ଉପରେ ତାଙ୍କର ପାଣ୍ଡିତ୍ୟ ତାଙ୍କୁ ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ପ୍ରତିଷ୍ଠିତ କରିଥିଲା। ‘ପୂଜ୍ୟ ପୂଜା, ଓଡ଼ିଶା’ ପକ୍ଷରୁ ଓଡ଼ିଶା ଲେଖକ ସମବାୟ ସମିତି ପରିସରରେ ଆୟୋଜିତ ସ୍ୱର୍ଗୀୟ ରଥଙ୍କ ୭୯ତମ ଜୟନ୍ତୀ ପାଳନ ଅବସରରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।
ଏହି ଗୌରବମୟ ଅବସରରେ ପଣ୍ଡିତ ନିରଞ୍ଜନ ରଥଙ୍କ ଦ୍ୱାରା ସମ୍ପାଦିତ ତଥା ପଣ୍ଡିତ ଚନ୍ଦ୍ରଶେଖର ରଥ ଶର୍ମାଙ୍କ ରଚିତ ‘ଶ୍ରୀ ଲକ୍ଷ୍ମଣା ପରିଣୟ’ ମହାକାବ୍ୟର ଓଡ଼ିଆ ଅନୁବାଦ ଉପରେ ଆଲୋଚନା କରାଯିବା ସହ ଏହାକୁ ଉନ୍ମୋଚିତ କରାଯାଇଥିଲା।
ସ୍ୱର୍ଗୀୟ ରଥଙ୍କ ସ୍ମୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କଳିଙ୍ଗ ବିହାରସ୍ଥିତ ଜଗନ୍ନାଥ ବାଟିକା ପରିସରରେ ଏକ ନାରୀକେଳ ବୃକ୍ଷ ରୋପଣ କରାଯାଇଥିଲା। ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଏହି ବୃକ୍ଷ ରୋପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ବୈଦ୍ୟ ଶ୍ରୀ ଗୋପାଳ ଚନ୍ଦ୍ର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ଭାରତ ଭୂଷଣ ରଥ, ପରମେଶ୍ୱର ମିଶ୍ର, ଆରତି କର, ସୁବାସ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ରଥ, ମାଧବ ଚନ୍ଦ୍ର ରଥ, ସୁକାନ୍ତ ପ୍ରଧାନ, ମଧୁସୂଦନ ଦାଶ, ସ୍ୱଦେଶ ରଞ୍ଜନ ମହାନ୍ତି, ପ୍ରୀତିଶ୍ରୀ ନାୟକ, ପ୍ରଭାତ କୁମାର ଦାଶ ଏବଂ ଅଭିଜିତ ସାମନ୍ତରାୟ ପ୍ରମୁଖ ବକ୍ତା ଓ ଆଲୋଚକ ଭାବେ ଯୋଗଦେଇ ପଣ୍ଡିତ ରଥଙ୍କ ଜୀବନାଦର୍ଶ ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ।

ବିରଜା ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସ୍ୱର୍ଗୀୟ ରଥଙ୍କ ସହ ତାଙ୍କର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରି ସଭା ପରିଚାଳନା କରିଥିଲେ। ସମିତ ରାଉତ ଭଜନ ଗାନ କରିଥିବା ବେଳେ ପ୍ରଭାତ କୁମାର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
