କେନ୍ଦ୍ରାପଡ଼ା : ‘ସାଉଁଟା ଫୁଲ’ ସାହିତ୍ୟ ପତ୍ରିକା ଓ ସାପ୍ତାହିକ ସମ୍ବାଦପତ୍ର ‘ଉଦ୍ଦେଶ୍ୟ’ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଅଢଙ୍ଗା-ଜଇପୁର ସ୍ଥିତ ‘ନିଗମଚରଣାଶ୍ରିତ କାର୍ତ୍ତିକ ନାୟକ ସ୍ମୃତି ପାଠାଗାର’ର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ କାର୍ତ୍ତିକ ନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଏହି ସାରସ୍ବତ ସମାରୋହରେ ଅନେକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ପାଠାଗାରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।

ଏହି ସଭାକୁ ବିଶିଷ୍ଟ ସାରସ୍ବତ ସଂଗଠକ ତଥା ‘ପୂଜ୍ୟପୂଜା ଓଡ଼ିଶା’ର ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ଲେଖକ ହରିହର ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଜ୍ଞାନ ରଞ୍ଜନ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନରେଶ ଚନ୍ଦ୍ର ମହାନ୍ତି, ବଟକୃଷ୍ଣ ପାଢ଼ୀ ଏବଂ ଉର୍ମିଳା ସ୍ୱାଇଁ ଉପସ୍ଥିତ ଥିଲେ |
ଉତ୍ସବରେ ଯୋଗ ଦେଇଥିବା ଅତିଥି ଓ ବକ୍ତାମାନେ ବର୍ତ୍ତମାନର ଯନ୍ତ୍ରଚାଳିତ ସମାଜରେ ପିଲାମାନଙ୍କ ମଧ୍ୟରେ ପଠନ ସ୍ପୃହା କମିଯାଉଥିବାରୁ ଗଭୀର ଚିନ୍ତା ପ୍ରକାଶ କରିଥିଲେ। ସେମାନେ ମତ ଦେଇଥିଲେ ଯେ, ଆଜିର ପିଢ଼ିକୁ ରାମାୟଣ, ମହାଭାରତ, ଶ୍ରୀମଦ ଭଗବତ ଗୀତା ଓ ଭାଗବତ ଭଳି ସଦଗ୍ରନ୍ଥ ପାଠ କରିବା ପାଇଁ ସୁଯୋଗ ଦେବା ଉଚିତ। ଏଥିସହ ମହାପୁରୁଷମାନଙ୍କ ଜୀବନୀ ପଢ଼ିବା ଦ୍ୱାରା ପିଲାମାନଙ୍କର ଚରିତ୍ର ଗଠନ ହୋଇପାରିବ, ଯେଉଁଥିପାଇଁ ପାଠାଗାର ଗୁଡ଼ିକର ଆବଶ୍ୟକତା ଅପରିହାର୍ଯ୍ୟ।


ଉଦ୍ଘାଟକ ରମାକାନ୍ତ ମିଶ୍ର ମହାପୁରୁଷମାନଙ୍କ ଜୀବନୀରୁ ବିଭିନ୍ନ ଦୃଷ୍ଟାନ୍ତ ଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ପିତାମାତାଙ୍କ ସେବା କରିବା ସମସ୍ତଙ୍କର ପରମ ଧର୍ମ ବୋଲି ସେ କହିବା ସହ ପିଲାମାନଙ୍କୁ ଗଢ଼ିବା ଦିଗରେ ମାଆମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ମତ ଦେଇଥିଲେ।
ଏହି ଅବସରରେ ସମସ୍ତ ପିତାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ପୁସ୍ତକ ‘ମୋ ବାପା ମୋ ଆକାଶ’ ଉନ୍ମୋଚିତ ହୋଇଥିଲା। ସମ୍ମାନିତ ଅତିଥି ବଟକୃଷ୍ଣ ପାଢ଼ୀ ପିତାଙ୍କ ସ୍ମୃତିରେ ଦୁଇଟି ଆବେଗଭରା ସଙ୍ଗୀତ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ କୃତି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ପରିକ୍ଷିତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବଟି ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ସାରସ୍ବତ ବାତାବରଣ ସୃଷ୍ଟି କରିଛି।
