ଆଗରପଡ଼ା :ରାଜ୍ୟରେ ଶିଶୁ ଓ ନାରୀ ନିର୍ଯାତନା ବୃଦ୍ଧି ପାଉଛି । ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ଅଭିଯୋଗ କରି ରାଜ୍ୟ କଂଗ୍ରେସ ଆହ୍ୱାନକ୍ରମେ ବନ୍ତ ବ୍ଲକରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ରାଜ କିଶୋର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ହାତରେ ମହମବତୀ ଜଳାଇ ସରକାର ବିରୋଧୀ ନାରାବାଜି କରି ବଜାର ପରିକ୍ରମା କରିଥିଲେ । ଏନେଇ ଆୟୋଜିତ ପଥପ୍ରାନ୍ତ ସଭାରେ ପ୍ରାକ୍ତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କ୍ରମାଗତ ଭାବେ ନାରୀ, ଶିଶୁ ନିର୍ଯାତନା ସହ ଦୁଷ୍କର୍ମ, ହତ୍ୟା ଓ ନିଖୋଜ ପରି ଘଟଣା ବଢି ଚାଲିଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ପ୍ରଶାସନିକସ୍ତରରେ ବିହିତ ପଦକ୍ଷେପ ନିଆଯାଉନଥିବାରୁ ଗୃହ କମିଟି ମାଧ୍ୟମରେ ତଦନ୍ତ କରିବା ନିମନ୍ତେ କଂଗ୍ରେସ ଦଳର ନିର୍ବାଚିତ ୧୪ ଜଣ ବିଧାୟକ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ନଥିବା ଯୋଗୁ ରାଜ୍ୟ ସରକାରଙ୍କୁ ଶ୍ରୀ ପଟ୍ଟନାୟକ କଟୁ ସମାଲୋଚନା କରିଥିଲେ । ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ବ୍ଳକ ଯୁବ କଂଗ୍ରେସ ସଭାପତି ସନ୍ଦୀପ ଜେନା, ଇଂ ସୁଧାଂଶୁ ଶେଖର ନାୟକ, ମାଳିରାମ ବେହୁରିଆ, ପ୍ରାକ୍ତନ ସରପଂଚ ମୁସ୍ତାକ ଅଲ୍ଲୀ ଖାଁ, ରବି ନାରାୟଣ ମହାନ୍ତି, ସତ୍ୟବାନ ଦାସ, ସୁରେନ୍ଦ୍ର ଜେନା, କଳ୍ପତରୁ ସାହୁ, ରାଜେନ୍ଦ୍ର ପଣ୍ଡା, କାର୍ତ୍ତିକ ଜେନା, ଜଗବନ୍ଧୁ ବେହେରା, ରାହୁଲ ଅମିନ ସିଦ୍ଦିକ୍, ରହେବର ଅଲ୍ଲୀ ଖାନ୍, ନିରଞ୍ଜନ ମଲ୍ଲିକ, ନିକି ମୈକାପ, ଗୋବର୍ଦ୍ଧନ ସାହୁ, ପବିତ୍ର ପୃଷ୍ଟି ଓ ଶରତ ଚନ୍ଦ୍ର ସେଠୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

