ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଣ୍ଡିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଜଣାପଡ଼ିଛି । ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୫ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ । ଗତ ସେପ୍େଟମ୍ବର ମାସରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ଫଳରେ ଜଣେ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ତୁଲାଇବା ସହ ୪ ଜଣ ଶିକ୍ଷକରେ ୮ଟି ଶ୍ରେଣୀରେ ଶିକ୍ଷାଦାନ ଚାଲିଛି । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଭାଗର ସ୍ୱତନ୍ତ୍ର ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଶିକ୍ଷକ ପଦ ପୂରଣ ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷା ମନ୍ତ୍ରୀ, ଗଣ ଶିକ୍ଷା ବିଭାଗ ସଚିବ, ଜିଲ୍ଲ।।ପାଳ ଭଦ୍ରକ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥବା ସହ । ପଦ ପୂରଣ ନ ହେଲେ ୧୬ ତାରିଖ ଠାରୁ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ଆନ୍ଦୋଳନ କରିବେ ବୋଲି ଉଲ୍ଲେଖ କରିଥିଲେ । ତେଣୁ ବୁଧବାର ସକାଳ ୬ଟା ଠାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହା ପରେ ବ୍ଲକ ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟରେ ନିଯୁକ୍ତ କରିଥିବା ଜଣାପଡ଼ିଛି । କିନ୍ତୁ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି ।
