ଆଗରପଡ଼ା :ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଥିବାରୁ ମାନ୍ୟବର ହାଇକୋର୍ଟ ୨୦୦୨ ମସିହାରେ ପଲିଥିନ ବ୍ୟବହାର କୁ ବିରୋଧ କରି ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଜିଲ୍ଳା ପ୍ରଶାସନକୁ ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । ତତ୍ ସହିତ ବିଭିନ୍ନ ଗଣମାଧ୍ୟମରେ ଏହାର ବ୍ୟବହାର ନକରିବା ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଥିଲା । କିନ୍ତୁ ଇତି ମଧ୍ୟରେ ୨୨ ବର୍ଷ ବିତିଗଲା ପରେବି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳିତ ହୋଇନପାରିବା ବଡ ଦୁଃଖ ଓ ଅନୁତାପର ବିଷୟ । ପ୍ରକାଶ ଥାଉକି : ସମଗ୍ର ଦେଶରେ ପରିବେଶର ସୁରକ୍ଷାକୁ ନେଇ ପଲିଥିନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ବହୁ ରାଜ୍ୟରେ ପଲିଥିନ୍ କାରବାର ବନ୍ଦ ହୋଇଯାଇଥିବା ବେଳେ ଗତ ବର୍ଷ ୨୦୨୧ ଅକ୍ଟୋବର ୨ତାରିଖରୁ ରାଜ୍ୟର ୬ଟି ସହର ଯଥା ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା ଓ ବ୍ରହ୍ମପୁରରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଯାଇଥିଲା ଓ ବର୍ଷ ୨୦୨୨ ଅକ୍ଟୋବର ୨ତାରିଖରୁ ସାରା ରାଜ୍ୟକୁ ପଲିଥିନ୍ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା ଏହାର ସଫଳ ରୂପାୟନ ଆଜି ସୁଦ୍ଧା ହୋଇ ପାରି ନାହିଁ । ଏହାର ବ୍ୟବହାର ଉପରେ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନ ନିଆ ହେବା ଦ୍ୱାରା ଏହାର ବହୁଳ ବ୍ୟବହାର ହେଉଛି ।
ବନ୍ତ ବ୍ଲକ ସମେତ ବିଭିନ୍ନ ଅଂଚଳରେ ପଲିଥିନ୍ର ବହୁଳ ବ୍ୟବହାର ଦେଖାଯାଇଛି । ୫୦ମାଇକ୍ରୋନରୁ କମ୍ ପଲିଥିନ୍ ବ୍ୟବହାର କରିବା ଆଇନ୍ ବିରୁଦ୍ଧ ହୋଇଥିବା ବେଳେ ଏଠାକାର ତେଜରାତି ଦୋକାନରୁ ଆରମ୍ଭ କରି ପନି ପରିବା , ମିଠା ନୋକାନ ସହ ମାଛ-ମାଂସ ଆଦି ବିଭିନ୍ନ ଦ୍ରବ୍ୟକୁ ଗ୍ରାହକମାନେ ପଲିଥିନ୍ରେ ନେଉଥିବାର ଦେଖାଯାଉଛି । ବହୁ ଗ୍ରାହକ ମଧ୍ୟ କଳା ପଲିଥିନରେ ଗରମ ଖାଦ୍ୟ ପଦାର୍ଥ ନେଉଥିବା ଦେଖିବାକୁ ମିଳୁଛି । ବର୍ଜ୍ୟବସ୍ତୁକୁ ପୁନଃ ପଦ୍ଧତିରେ କଳା ପଲିଥିନ ତିଆରି କରାଯାଏ । ଏହି ପଲିଥିନରେ ଖାଦ୍ୟ ପଦାର୍ଥ ନେଇ ଖାଇଲେ ତାହା ଦେହ ପାଇଁ ବହୁ କ୍ଷତି କାରକ ବୋଲି ଡ଼ାକ୍ତରଙ୍କ ମତ ହୋଇଥିବା ବେଳେ ବନ୍ତ ବ୍ଳକର ବିଭିନ୍ନ ସ୍ଥାନରେ ,ଡାର ବହୁଳ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ପଲିଥିନ୍କୁ ବ୍ୟବହାର କରି ବିଭିନ୍ନ ସ୍ଥାନରେ ଫିଙ୍ଗାଯିବା ଦ୍ୱାରା ଏହାକୁ ଗାଈ ଗୋରୁ ମାନେ ଖାଇବା ଦ୍ୱାରା ତାଙ୍କର ପାଚନ ଶକ୍ତି ହ୍ରାସ ହେବା ସହ ତାଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି । ଏଥି ସହ ମୃତ୍ତିକା ଅବକ୍ଷୟ ମଧ୍ୟ ଘଟୁଛି । ପଲିଥିନ୍ କୁ ପୋଡ଼ିବା ଦ୍ୱାରା ମାଟିର ଉର୍ବରତା କମିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି । ଏବେ ବିଭିନ୍ନ ଅଭିନନ୍ଦନର ବାର୍ତ୍ତାକୁ ପଲିଥିନ୍ ରେ ତିଆରି ବ୍ୟାନର ମାଧ୍ୟମରେ ଆଦୃତ କରାଯାଉଥିବାରୁ ଏହି ନିଷେଧାଜ୍ଞାର କାର୍ଯ୍ୟକାରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିସବୁ କୁ ଆଖିଆଗରେ ରଖି ପଲିଥିନ୍ର ବିକଳ୍ପକୁ ବ୍ୟବହାର ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେବା ସହ ପରିବେଶ ସୁରକ୍ଷା ଓ ଜନମାନସ ର ଜୀବନକୁ ସରସ ସୁନ୍ଦର କରିବାପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।