ଭୁବନେଶ୍ୱର,୨୨ା୩: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସରୋଜ ସା’ ନାମକ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସରୋଜ। ତତ୍କାଳୀନ ଆଇଆଇସିଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ। ତେବେ ଆଜି ତାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ।
ଦୀର୍ଘ ଦୁଇ ବର୍ଷ ପରେ ପୁଣି ନବ ଦାସ ହତ୍ୟା ମାମଲାରେ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ପ୍ରଥମେ ପରିବାରକୁ ଭେଟିଥିଲା ଯେଉଁଠି ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା ଏହା ପରେ ହତ୍ୟାକାଣ୍ତ ଘଟଣାସ୍ଥଳରେ ପହଞ୍ଚଥିଲା ଟିମ୍ ସେହିପରି, ଡାକ୍ତରଖାନାକୁ ଯାଇ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ। ମୁଖ୍ୟ ଡାକ୍ତରଖାନାର ତତ୍କାଳୀନ ସିଡିଏମ୍ଓ ଡୋଳାମଣି ପଟେଲଙ୍କୁ ନବ ଦାସ ହତ୍ୟାକାଣ୍ଡ ଦିନର ସମସ୍ତ ତଥ୍ୟ ପଚାରିବା ପରେ ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ଏହାପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ନବ ଦାସଙ୍କ ପରିବାରକୁ ଯାହା ପ୍ରଶ୍ନ ପଚାରିଥିଲୁ ସବୁ ପ୍ରଶ୍ନର ସନ୍ତୋଷ ମୂଳକ ଉତ୍ତର ଦେଇଥିଲେ। ସେମାନେ ଆମକୁ ଏହି ଘଟଣାର ତଦନ୍ତ ପାଇଁ ସାହାଯ୍ୟ କରୁଛନ୍ତି। ତତ୍କାଳୀନ ସିଡିଏମ୍ଓ ଡୋଳାମଣିଙ୍କୁ ମଧ୍ୟ ଏ ସମ୍ପର୍କରେ ସମସ୍ତ ପ୍ରଶ୍ନ ପଚାରି ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଆଗକୁ ନବ ଦାସଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ମଧ୍ୟ ବୟାନ ରେକର୍ଡ ହେବ ବୋଲି ମଲ୍ଲିକ କହିଥିଲେ।
ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ମଲ୍ଲିକ କହିଥିଲେ ଯେ ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କୁ ଏୟାର ଲିଫ୍ଟ କରିବା ସମୟର ସମସ୍ତ ତଥ୍ୟ ମଗାଯାଇଛି, ତାହା ନେଇ ଯିବୁ। ଆମେ ତଦନ୍ତ ପ୍ରକ୍ରିୟାରେ ନୂତନ ପ୍ରମାଣ ଯୋଗାଡ଼ କରିବାକୁ ଏହି ଅତିରିକ୍ତ ତଦନ୍ତ ଚାଲିଛି ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ଆମେ ମଧ୍ୟ ଜାଣି ନାହୁଁ ବୋଲି କହିଥିଲେ। ମଲ୍ଲିକ ଆହୁରି କହିଥିଲେ ଯେ ନବ ଦାସଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି।
ସେ ଗୁଳି ନ ପାଇଲେ କହିହେବ ନାହିଁ ଯେ ତାହା ପୋଲିସର ଗୁଳି ନା ଆଉ କାହାର। ତେଣୁ ନବ ଦାସଙ୍କ ହତ୍ୟା ଗୋପାଳ ଦାସଙ୍କ ଗୁଳିରେ ହୋଇଥିଲା ନା ଆଉ କାହା ଗୁଳିରେ। ଇସିଜି ରିପୋର୍ଟ କୋର୍ଟରେ ପୂର୍ବରୁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଦେଇ ନ ଥିବା ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ, ଡକ୍ୟୁମେଣ୍ଟ ଭେରିଫିକେଶନ ହେବା ପରେ ଏହାର ଉତ୍ତର ଦିଆଯିବ। ବର୍ତ୍ତମାନ କୌଣସି ଡକ୍ୟୁମେଣ୍ଟ କିମ୍ବା ସାମଗ୍ରୀ ସିଜ୍ କରାଯାଇନାହିଁ, ଦରକାର ପଡିଲେ ସିଜ୍ କରିବୁ ବୋଲି ମଲ୍ଲିକ କହିଛନ୍ତି।