Accident 6

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

State

ବାଲୁଗାଁ: ଏମିତି ଦୁର୍ଘଟଣା । ଦେଖିଲେ ଛାତି ଥରି ଉଠିବ । ଏକା ସାଥିରେ ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ । ସବୁଦିନ ପାଇଁ ଶୋଇଗଲେ ଚିର ନିଦ୍ରାରେ । ସତରେ ମୃତ୍ୟୁ ଏମିତି ବି ଆସେ । ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ଜୀବନର ଗତିପଥ । ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପରସ୍ପରର ସୁଖରେ ଦୁଃଖରେ ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥିଲେ । ବିବାହ ପରେ ବେଶ୍ ହସଖୁସିରେ ଘର ସଂସାର ଚାଲିଥିଲା । ହେଲେ ବିଧିର ବିଧାନ ବଡ଼ ବିଚିତ୍ର ।

ସେମାନଙ୍କ କପାଳରେ ଅନ୍ୟ କିଛି ଲେଖାଥିଲା । ବେଦିର ଶପଥକୁ ସତ କରି ଆଜି ଉଭୟ ଏକା ସହ ଚାଲିଯାଇଛନ୍ତି ଆରପାରିକୁ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ ଜାତୀୟ ରାଜପଥ ବାଲୁଗାଁ ବାଇପାସ ନୂଆଗଡ ଓଭରବ୍ରିଜ ନିକଟରେ । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ସିମେଣ୍ଟ ଖୁଣ୍ଟିକୁ ଧକ୍କା ଦେଇଥିଲା ସ୍ୱାମୀ ସ୍ତ୍ରୀଙ୍କ କାର । ଏହି ଗାଡ଼ିଟିକୁ ଦେଖି ଆପଣ ଅନୁମାନ କରିପାରୁଥିବେ ଏହା ଭିତରେ ବସିଥିବା ଲୋକର ଅବସ୍ଥା କ’ଣ ହୋଇଥିବ ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହେବା ପରେ କାର ଭିତରୁ ବାହାରକୁ ଆସିବାକୁ ଖୁବ ଚେଷ୍ଟା କରିଥିଲେ ବି ବାହାରି ପାରିନଥିଲେ । ଯାହାପରେ ସ୍ଥାନୀୟ ଲୋକମାନେ ପହଞ୍ଚି କାରର ଡୋର୍ ଖୋଲିବାକୁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଶେଷରେ ଅଗ୍ନୀଶମ ବାହିନୀ ଆସି ଗାଡି ଖୋଲି ପତି ପତ୍ନୀ ଉଭୟଙ୍କୁ ବାହାର କରାଯାଇଥିଲା । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା ଏଭଳି ଦୁର୍ଘଟଣା । କାରଟି ଏତେ ଜୋର ସିମେଣ୍ଟ ଖୁଣ୍ଟିକୁ ବାଡ଼େଇଥିଲା ଯେ କାରର ବେଲୁନ ବାହାରିଯାଇଥିଲା ।

ପ୍ରଥମେ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଚିକିତ୍ସିତ ଅବସ୍ଥାରେ ପ୍ରଥମେ ସ୍ତ୍ରୀଙ୍କ ମୃତ୍ୟୁ ପରେ ଏବଂ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସତରେ ଏ ଜୀବନ କ୍ଷଣସ୍ଥାୟୀ । କେତେବେଳେ କିଏ ଚାଲିଯିବ କେହି କହି ପାରିବେନି । ଭାରି ହୃଦୟ ବିଦାରକ ଏ ଘଟଣା । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।