ଭୁବନେଶ୍ୱର: ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ କର୍ମଚାରୀ । ସେହିପରି ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ୧୧୩୧ଟି ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ତେବେ ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି । ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ନୂତନ ଭାବେ ୪୮ ଗୋଟି ପଦବୀ ସୃଷ୍ଟି କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ନାରୀ ନିର୍ଯାତନା ନେଇ ପ୍ରତିବାଦ କରୁଥିବା ବେଳେ ବିଜେଡି ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାର ଅସମ୍ମାନ କରିବା ଦାବିରେ ବିରୋଧ ପ୍ରଦର୍ଶନ କରୁଥିଲେ । ବାଚସ୍ପତିଙ୍କ ପୋଡିୟମ ତଳକୁ ଯାଇ ବିଜେଡି ଓ କଂଗ୍ରେସ ହଙ୍ଗାମା କରିଥିଲେ । ଗୃହ ନ ଚଳିପରିବାରୁ ୧୨ଟା ୯ ମିନିଟ୍ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।
ମୁଲତବୀ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିରୋଧୀମାନେ ପୁଣି ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ପୁଣି ଥରେ ଗୃହକୁ ଅପରାହ୍ନ ୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ସେପଟେ ରାଜ୍ୟରେ ନାରୀ ଅସୁରକ୍ଷିତ ଅଭିଯୋଗରେ କଂଗ୍ରେସ ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛି ।