ବାରିପଦା: ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଳାପାଳ ତଥା ଜିଲ୍ଲା ବିପର୍ଯୟ ପରିଚାଳନା କର୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଗ୍ରୀଷ୍ମ ପ୍ରବାହ ରେ ଯେପରି ସାଧାରଣ ଜନଜୀବନ ପ୍ରଭାବିତ ନହୁଏ ସେଥିପାଇଁ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଶ୍ରମ, ପରିବହନ, ପ୍ରାଣୀ ସମ୍ପଦ ଓ କୃଷି କ୍ଷେତ୍ର ରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ | ଏସ ଆର ସି ଏବଂ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ପ୍ରତିଷେଧାତ୍ମକ ପଦକ୍ଷେପ କଡାକଡ଼ି ଭାବେ ଅନୁପାଳନ କରିବା ପାଇଁ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
ଆଗକୁ କ୍ରମଶଃ ଖରା ବଢିବାର ଆଶଙ୍କା ଥିବାରୁ ଅଂଶୁଘାତର ପ୍ରତିକାର ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ଜିଲ୍ଲା ର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ରେ ପର୍ଯ୍ୟାପ୍ତ ପରିମାଣ ଓଆରଏସ, ଫାଷ୍ଟ ଏଡ଼ ଓ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ସହିତ ଅଂଶୁଘାତ ପ୍ରକୋଷ୍ଠ କୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି |ଜିଲ୍ଳାର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ୨୪X୭ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ଜିଲ୍ଲା ନିୟନ୍ତ୍ରଣ କକ୍ଷ,ଜ଼ିଲ୍ଲା ପରିଷଦ,ବ୍ଲକ, ତହସିଲ, ପୌରପାଳିକା, ବିଜ୍ଞାପିତ ଅଂଚଳ ପରିଷଦ ଆର ଡବ୍ଲ୍ୟୁ ଏସ ଏସ ଇତ୍ୟାଦି ସରକାରୀ କାର୍ଯ୍ୟାଳୟ ରେ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦେଶ ଦିଆଯାଇଛି |ସେହିପରି ଗ୍ରାମାଞ୍ଚଳରେ ଅଚଳ ନଳକୂପ ଗୁଡିକ ଯଥାଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି | ଗ୍ରାମ୍ୟ ଜଳ ଯୋଗାଣ ଓ ବ୍ଲକ କତୃପକ୍ଷ ମିଳିତ ଭାବେ ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ପାଇପ ଜଳ ଯୋଗାଣ ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି | ଜଳକ୍ଲୀଷ୍ଟ ଅଂଚଳ ଗୁଡିକ ଚିହ୍ନଟ କରି ଉକ୍ତ ଅଂଚଳ ର ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ବୈଠକ ରେ ସ୍ଥିର ହୋଇଥିଲା।ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁପାଳନ ପୂର୍ବକ ଶ୍ରମିକ ମାନଙ୍କୁ ଯେପରି ପ୍ରଚଣ୍ଡ ଦ୍ବିପହରରେ ଦିବା ୧୧-୦୦ ଘଟିକା ଠାରୁ ଅପରାହ୍ନ ୩-୦୦ ଘଟିକା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ତଥା ଅନ୍ୟାନ୍ୟ ଅଧିକ ପରିଶ୍ରମ କାର୍ଯ୍ୟରେ ଶ୍ରମିକ ନିୟୋଜିତ କରାନଯାଏ ସେ ସମ୍ଭନ୍ଧରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଛି |ଯାତ୍ରୀବାହୀ ବସଗୁଡିକ ରେ ପାନୀୟ ଜଳ, ଓଆରଏସ ପ୍ୟାକେଟ ଏବଂ ଆଶୁ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ପାଇଁ ବସ ମାଲିକ ତଥା ବସ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଯଦି ଅତ୍ୟଧିକ ଖରା ବଢେ ତେବେ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ କେବଳ ଶୀତତାପ ନିୟନ୍ତ୍ରିତ (ଏସି )ବସ ଚଳାଚଳ କରାଇ ସାଧାରଣ ବସ ଚଳାଚଳକୁ ବନ୍ଦ ରଖିବା ଏବଂ ଖୋଲା ଗାଡ଼ିରେ ଯାତ୍ରୀ ପରିବହନ ତଥା ଓଭର ଲୋଡିଂ ରୋକିବା ପାଇଁ ଆର |ଟି |ଓ/ଏ |ଆର |ଟି |ଓ ଙ୍କୁ ନିର୍ଦେଶ ଦିଆଯାଇଛି | ଟ୍ରକ ଡ୍ରାଇଭର ଓ ଅନ୍ୟାନ୍ୟ ଗାଡି ଚାଳକଙ୍କ ବିଶ୍ରାମ ପାଇଁ ଜାତୀୟ ରାଜପଥ ପାର୍ଶ୍ଵବର୍ତ୍ତୀ ଜାଗାରେ ସ୍ଥାନେ ସ୍ଥାନେ ଚାଳିଆ (ସେଡ) ନିର୍ମାଣ କରାଇବା ପାଇଁ ଆର ଟି ଓ ଙ୍କୁ ନିର୍ଦେଶ ଦିଆଯାଇଛି।
ଜରୁରୀ ଆବଶ୍ୟକତା ନଥିଲେ ବିଦ୍ୟୁତ ସରବରାହକୁ ନକାଟିବାକୁ ଟାଟା ପାୱାର କତୃପକ୍ଷ ଙ୍କୁ ନିର୍ଦେଶ ଦିଆଯାଇଛି | ବିଦ୍ୟୁତ ସରବରାହ ପାଇଁ ପାନୀୟ ଜଳ ଯୋଗାଣରେ ଯେମିତି କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଟାଟା ପାୱାର କତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।ବାରିପଦା ଓ ରାଇରଙ୍ଗପୁର ପୌରପାଳିକା ସହିତ ଉଦଳା ଓ କରଞ୍ଜିଆ ବିଜ୍ଞାପିତ ଅଂଚଳ ପରିଷଦ ଅଧିନସ୍ଥ ବିଭିନ୍ନ ସ୍ଥାନ ରେ ଯଥା ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ହାଟ, ବଜାର ଇତ୍ୟାଦି ଜନଗହଳି ସ୍ଥାନ ମାନଙ୍କରେ ଜଳ ଛତ୍ର ଖୋଲିବା କୁ ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି |ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସରପଞ୍ଚ ମାନେ ନିଜସ୍ୱ ପାଣ୍ଠି ରେ ଜଳଛତ୍ର ଖୋଲି ପାରିବେ ଏବଂ ଏଥିରେ ଏନ ଜି ଓ ମାନଙ୍କୁ ମଧ୍ଯ ସାମିଲ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସେହିପରି ଆକସ୍ମିକ ଅଗ୍ନିକାଣ୍ଡ କୁ ପ୍ରତିରୋଧ କରିବା ଦିଗରେ ଅଗ୍ନିଶମ ସେବା ଅଧିକାରୀ ଙ୍କୁ ସମସ୍ତ ଆନୁସଙ୍ଗିକ ଉପକରଣ ପ୍ରସ୍ତୁତ ରଖିବା ସହିତ ବଡ ବଡ ହୋଟେଲ, ମଲ ଇତ୍ୟାଦିରେ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ଯାଞ୍ଚ କରିବା ପାଇଁ ନିର୍ଦେଶ ଦିଆହେଇଛି | ବନାଗ୍ନି କୁ ରୋକିବା ପାଇଁ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଚେତନ କରାଇ ଜଙ୍ଗଲ ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ବନଖଣ୍ଡ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି |
ଅତ୍ୟନ୍ତ ଆବଶ୍ୟକତା ନଥିଲେ ଖରାରେ ବାହାରକୁ ନବାହାରିବା, ମାଦକ ବା ନିଶା ଦ୍ରବ୍ୟ ସେବନ ନକରିବା, ଅତ୍ୟାବଶ୍ୟକ କ୍ଷେତ୍ରରେ ବାହାରକୁ ଯିବାର ଥିଲେ ପ୍ରଚୁର ପରିମାଣ ପାଣି, ଦହି, ଲେମ୍ବୁ ପାଣି ଇତ୍ୟାଦି ପିଇବା ଏବଂ ସଙ୍ଗରେ ପିଇବା ପାଣି ନେବା, ଛତା, କଳା ଚଷମା, ଟୋପି ବ୍ୟବହାର କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି |
ଅଂଶୁଘାତ ଲକ୍ଷଣ ଦେଖା ଦେଲେ ତୁରନ୍ତ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି |ସେହିପରି ଗୃହପାଳିତ ପଶୁ ଗୁଡିକୁ ଖରାରେ ବାହାରକୁ ନଛାଡିବା ତଥା ଅନ୍ୟାନ୍ୟ ପଶୁ ପକ୍ଷୀ ଙ୍କ ପାଇଁ ନିଜ ନିଜ ଘର ପାଖରେ ଓ ଛାତ ଉପରେ ପାତ୍ର ରେ ପାଣି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସକାଳୁଆ ସ୍କୁଲ ସମ୍ପର୍କ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ନିର୍ଦେଶନାମାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି |ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସୁଥିବା ପିଲା ମାନଙ୍କୁ ସଙ୍ଗରେ ପାଣି ବୋତଲ ଆଣିବା ପାଇଁ ପରାମର୍ଶ ଦେବା ସହିତ ଛାତ୍ର ଛାତ୍ରୀ ମାନଂକୁ ଅଂଶୁଘାତ ରୁ ଉପଶମ ପାଇବା ପାଇଁ ଟିପ୍ସ ସମ୍ଭନ୍ଧ ରେ ଅବଗତ କରାଇବେ | ଅଂଶୁଘାତ ଜନିତ ମୃତ୍ୟୁ ଖବର ପ୍ରଶାସନ କୁ ୨୪ ଘଣ୍ଟା ମଧ୍ୟରେ ଅବଗତ କରାଇ ସ୍ଥାନୀୟ ତହସିଲଦାର/ଅତିରିକ୍ତ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀ ଓ ଡାକ୍ତର ଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ୪୮ ଘଣ୍ଟା ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କୁ ଅବଗତ କରାଯିବା ନିୟମ ସମ୍ଭନ୍ଧ ରେ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା | ଚଳିତ ବର୍ଷ ଆମ ଜିଲ୍ଲା ରେ ଅଂଶୁଘାତ ଜନିତ ମୃତ୍ୟୁ ଯେମିତି ଆଦୌ ନହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାର ସହଯୋଗ କାମନା କରି ବୈଠକ ରେ ଯୋଗଦାନ କରିଥବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |
ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲି , ଅତରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ଧର୍ମାନନ୍ଦ ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ପ୍ରଭାତ କୁମାର ବେହେରା, ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକଟର ଡ |ଶୁଭଙ୍କରୀ ଦାଶଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ପଦାଧିକାରୀ, ଜିଲ୍ଳାର ସମସ୍ତ ଉପଜିଲ୍ଲାପାଳ,ବିଡିଓ, ତହସିଲଦାର, ପୌରପାଳିକା /ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ, ସିଡିପିଓ ଓ ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ |