ବାରିପଦା : ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ଭୁରଶାଣୀ ଖେଳ ପଡ଼ିଆରେ ଆୟୋଜିତ ବିଶାଳ ଜନସମାବେଶ ଓ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବୃହତ ପାନୀୟ ଜଳ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୨୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ପ୍ରକଳ୍ପ ଏବଂ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ହୋ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ନାଏକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, “ଗ୍ରାମର ବିକାଶ ହେଉଛି ରାଜ୍ୟର ବିକାଶର ମୂଳ ଆଧାର। ଯେତେବେଳେ ଗ୍ରାମର ପ୍ରତ୍ୟେକ ପରିବାର ନିରାପଦ ପାନୀୟ ଜଳ, ଉନ୍ନତ ସଡ଼କ ଓ ମୌଳିକ ସୁବିଧା ପାଇବେ, ସେତେବେଳେ ରାଜ୍ୟର ସାମଗ୍ରିକ ଉନ୍ନତି ସୁନିଶ୍ଚିତ ହେବ।” ସେ କହିଥିଲେ ଯେ ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ସହ ଲୋକଙ୍କ ଜୀବନମାନ ଉନ୍ନତ କରିବାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି।
ମନ୍ତ୍ରୀ ଆହୁରି କହିଥିଲେ ଯେ, “ପ୍ରତ୍ୟେକ ଘରକୁ ପରିଷ୍କାର ପାନୀୟ ଜଳ ଯୋଗାଣ କେବଳ ଏକ ସୁବିଧା ନୁହେଁ, ଏହା ଲୋକଙ୍କ ସ୍ୱାସ୍ଥ୍ୟ ଓ ମାନବୀୟ ଅଧିକାର ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।” ଆଜି ଉଦଘାଟିତ ବୃହତ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୨୯ଟି ଗ୍ରାମର ୪୦୭୦ରୁ ଅଧିକ ପରିବାର ଉପକୃତ ହେବେ ବୋଲି ସେ ସୂଚନା ଦେଇଥିଲେ। ଏହା ଫଳରେ ଅଞ୍ଚଳବାସୀଙ୍କୁ ବର୍ଷର ସମସ୍ତ ସମୟରେ ସୁରକ୍ଷିତ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବ।
ସେହିପରି ପୋଖରୀଡିହା ଗ୍ରାମ ପଞ୍ଚାୟତର ଇଚିଣ୍ଡାଠାରୁ ଜାମକୁଣ୍ଡା ପର୍ଯ୍ୟନ୍ତ ନୂତନ ରାସ୍ତା ପ୍ରକଳ୍ପର ଉଦଘାଟନ କରି ମନ୍ତ୍ରୀ କହିଥିଲେ ଯେ, ଉନ୍ନତ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର ସଂଯୋଗକୁ ଆହୁରି ସୁଗମ କରିବ । “ରାସ୍ତା ହେଉଛି ଉନ୍ନତିର ମୁଖ୍ୟ ଦ୍ୱାର। ଭଲ ରାସ୍ତା ଥିଲେ ଗ୍ରାମର ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ତ୍ୱରାନ୍ୱିତ ହୁଏ,” ବୋଲି ସେ କହିଥିଲେ।
ନୂତନ ହୋ ଗୋଷ୍ଠୀ କେନ୍ଦ୍ର ଉଦଘାଟନ ଅବସରରେ ମନ୍ତ୍ରୀ ଆଦିବାସୀ ସଂସ୍କୃତି, ଭାଷା ଓ ପାରମ୍ପରିକ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗୀକାରକୁ ଦୋହରାଇଥିଲେ । ସେ କହିଥିଲେ ଯେ, ଏହି କେନ୍ଦ୍ର ହୋ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିଉଠିବ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସରକାରୀ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜ୍ୟ ସରକାର ଗ୍ରାମ ଓ ସହର ମଧ୍ୟର ଉନ୍ନତି ତାରତମ୍ୟକୁ କମାଇବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି। ଉନ୍ନତ ପାନୀୟ ଜଳ, ଭଲ ରାସ୍ତା ଓ ସାମାଜିକ ଭିତ୍ତିଭୂମି ସୃଷ୍ଟି ମାଧ୍ୟମରେ ଲୋକଙ୍କ ଜୀବନମାନରେ ପରିବର୍ତ୍ତନ ଆଣିବା ହିଁ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ନବ ଚରଣ ମାଝୀ, ସାରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ଉଦଳା ବିଧାୟକ ଭାସ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲାପାଳ ହେମକାନ୍ତ ସୟ, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ସାଧାରଣ ଜନତା ଉପସ୍ଥିତ ଥିଲେ।
