Pm Modi On Biju Babu 750x430

ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

State

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ, ଓଡିଆ ମାଟିର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହାକୁ ନେଇ ଏବେ ରାଜ୍ୟରେ ଜାରି ରହିଛି ବିଜେପି- ବିଜେଡି ଲଢେଇ । ବିଜେପି ବିଜୁ ବାବୁଙ୍କୁ ଯଥୋଚିତ୍ ସମ୍ମାନ ଦେଉଥିବା ଦାବି କରିଥିବା ବେଳେ ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରିଛି କହି ଏବେ ରାଜ ରାସ୍ତାକୁ ଓହ୍ଲାଇବାକୁ ବସିଲାଣି ବିରୋଧୀ ବିଜେଡି । ଯାହାକୁ ନେଇ ଏବେ ବିଜୁ ରାଜନୀତିରେ ସରଗରମ ରହିଛି ରାଜ୍ୟ ରାଜନୀତି ।

ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ୍ସରେ ପୋଷ୍ଟ ଜାରି କରି ଓଡିଶା ପ୍ରତି ବିଜୁ ପଟ୍ଟନାୟକଙ୍କ ଅବିସ୍ମରଣୀୟ ଅବଦାନ ବିଷୟରେ ସ୍ମୁତିଚାରଣ କରିଛନ୍ତି । ଏନେଇ ମୋଦି ଲେଖିଛନ୍ତି, ବିଜୁ ବାବୁଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରୁଛି ।  ଓଡ଼ିଶା ପ୍ରତି ବିଜୁବାବୁଙ୍କ ଅବଦାନକୁ ଆମେ ସ୍ନେହପୂର୍ଣ୍ଣ ଭାବେ ମନେପକାଉଛୁ । ଓଡ଼ିଶାର ବିକାଶ ସହ ଲୋକଙ୍କୁ ସଶକ୍ତ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ । ଜରୁରିକାଳୀନ ପରିସ୍ଥିତିର ବିରୋଧ ସହ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ମଧ୍ୟ ପ୍ରତିବଦ୍ଧ ଥିଲେ ।

ସେପହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବିଜୁ ବାବୁଙ୍କ ଜନ୍ମ ଜୟନ୍ତରୀରେ ଶ୍ରାଦ୍ଧାଞ୍ଜଳି ଜଣାଇଛନ୍ତି । ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ । ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ ବୋଲି ନିଜ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଏବେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ, ପଞ୍ଚାୟତିରାଜ ଦିବସ ପାଳନ ହେବାକୁ ନେଇ ଏବେ ଖପ୍ପା ବିଜେଡି । ବିଜେଡି ସରକାର ଥିବା ବେଳେ ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇଆସୁଥିଲା, ପଞ୍ଚାୟତ ପାଇଁ ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଏ ଏହିଦିନ ଛୁଟି ପାଳନ କରାଯାଏ । ହେଲେ ଏଥର ମାର୍ଚ୍ଚ ୫ କାର୍ଯ୍ୟ ଦିବସ ରହିଛି । ଆଉ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି । ମାର୍ଚ୍ଚ ୫ ତାରିଖ ପରିବ‌ର୍ତ୍ତେ ଏପ୍ରିଲ୍‌ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରି ଏବେ ଆସନ୍ତାକାଲି ଅର୍ଥାତ୍ ୬ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି ବିଜେଡି ।