ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି ।
ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ । ୧୪୪ ବର୍ଷ ପରର ଏ ପବିତ୍ର ମୂହୂର୍ତ୍ତ ହାତରୁ ଖସିଯାଉଥିବାରୁ, ଏବେ ଆସ୍ତାର ବୁଡ ପାଇଁ, ଦେଶ ବିଦେଶର କୋଣ ଅନୁକୋଣରୁ, ସଙ୍ଗମ ସ୍ଥଳକୁ ଛୁଟିଛଇ ଭକ୍ତଙ୍କ ସୁଅ । ୨୬ ତାରିଖରେ ମହାକୁମ୍ଭ ସରୁଛି , ତା ଉପରେ ପୁଣି ସେଦିନ ମହାଶିବରାତ୍ରି, ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜରେ ଭକ୍ତଙ୍କ ସମାବେଗ ବଢୁଛି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁରୋଧ କ୍ରମେ, ଆଜି ନିଜ ପରିବାର ସହ ମହାକୁମ୍ଭରେ ଯାଇ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅତି ଆନନ୍ଦର ସହ ଆସ୍ତାର ଡୁବକି ଲଗାଇଛନ୍ତୀ ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀଙ୍କର ପ୍ରୟାଗରାଜରେ ରହିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସେ ଅଯୋଧ୍ୟ ଯାଇ ରାମଲଲାଙ୍କୁ ଦର୍ଶନ କରିବେ । ପରେ ବାରଣାସୀ ଯିବେ, ସେଠାରେ ରାତ୍ରି ଯାପନ କରିବା ପରେ ମଙ୍ଗଳବାର ଅପରାହ୍ଣକୁ ଭୁବନେଶ୍ବର ଫେରିବେ ।
୧୪୪ ବର୍ଷ ପରେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ, ଆସନ୍ତା ଫେବୃଆରୀ ୨୬ରେ ସରିବ । ଏପର୍ଯ୍ୟନ୍ତ ପ୍ରାୟ ୬୦ କୋଟି ଭକ୍ତ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମରେ ପବିତ୍ର ବୁଡ଼ ପକାଇ ବିଶ୍ୱର ସର୍ବବୃହତ ଧାର୍ମିକ ଏବଂ ସାଂସ୍କୃତିକ ସମାବେଶରେ ସାମିଲ ହୋଇସାରିଛନ୍ତି । ମହାକୁମ୍ଭ ଶେଷ ପର୍ଯ୍ୟାୟରେ ଥିବା ବେଳେ, ପ୍ରାୟ କୋଟି କୋଟି ଭକ୍ତ ପ୍ରତିଦିନ ସଙ୍ଗମ ଆସୁଛନ୍ତି ।