ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା ସମସ୍ତ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ସେମାନେ ବିଜେପିର ହାତ ଧରିଛନ୍ତି । ଏହି ବିଧାୟକମାନେ ଶୁକ୍ରବାର ହିଁ ଦଳରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନ ପୂର୍ବରୁ ଏତେ ସଂଖ୍ୟାରେ ଆପ୍ ନେତା ବିଜେପିରେ ମିଶିବା କେଜ୍ରିୱାଲଙ୍କ ପାଇଁ ସମସ୍ୟା ଆଣିପାରେ ।
ବିଜେପିରେ ମିଶିଥିବା ଆମ୍ ଅଦମୀ ପାର୍ଟିର ନେତାମାନେ ହେଲେ ତ୍ରିଲୋକପୁରୀ ବିଧାୟକ ରୋହିତ ମହରୌଲିଆ, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବା ନଗର ବିଧାୟକ ମଦନଲାଲ, ପାଲମ୍ ବିଧାୟକ ଭାବନା ଗୌଡ଼, ମହରୌଲି ବିଧାୟକ ନରେଶ ଯାଦବ, ଆଦର୍ଶ ନଗର ବିଧାୟକ ପବନ ଶର୍ମା, ମାଦିପୁରର ଗିରିଶ ସୋନି ଏବଂ ବିଜୱାସନ ବିଧାୟକ ବିଏସ୍ ଜୁନ୍ ।
ଏହି ବିଧାୟକମାନେ ନିଜ ଇସ୍ତଫା ପତ୍ରରେ କହିଥିଲେ, ‘ଆମ୍ ଆଦମୀ ପାର୍ଟି ଯେଉଁ ସଚ୍ଚୋଟ ବିଚାରଧାରା ଉପରେ ଗଢ଼ି ଉଠିଥିଲା, ସେହି ବିଚାରଧାରାରୁ ଏବେ ସମ୍ପୂର୍ଣ୍ଣ ଦୂରେଇ ଯାଇଛି । ଆମ୍ ଆଦମୀ ପାର୍ଟିର ଏହି ଦୁର୍ଦ୍ଦଶା ଦେଖି ମନ ବହୁତ ଦୁଃଖିତ’ ।
ମହରୌଲି ବିଧାୟକ ନରେଶ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ଇସ୍ତଫା ଘୋଷଣା କରିଥିଲେ । ସେ ଲେଖିଥିଲେ, ‘ମୁଁ ସଚ୍ଚୋଟତାର ରାଜନୀତି ପାଇଁ ଆମ୍ ଆଦମୀ ପାର୍ଟିରେ ଯୋଗଦେଇଥିଲି । କିନ୍ତୁ ଆଜି କେଉଁଠି ବି ସଚ୍ଚୋଟତା ନଜର ଆସୁନାହିଁ । ମୁଁ ମହରୌଲି ବିଧାନସଭା ଆସନରେ ଗତ ୧୦ ବର୍ଷରୁ କ୍ରମାଗତ ଭାବରେ ୧୦୦ ପ୍ରତିଶତରୁ ଅଧିକ ସଚ୍ଚୋଟତାର ସହ କାର୍ଯ୍ୟ କରିଛି । ମହରୌଲିର ଜନତା ଜାଣିଛନ୍ତି, ମୁଁ ସଚ୍ଚୋଟତାର ରାଜନୀତି, ଭଲ ବ୍ୟବହାରର ରାଜନୀତି ଏବଂ କାମର ରାଜନୀତି କରିଛି । କିନ୍ତୁ ଆମ୍ ଆଦମୀ ପାର୍ଟି ଏବେ ସମ୍ପୂର୍ଣ୍ଣ ରୂପେ ଦୁର୍ନୀତିରେ ଲିପ୍ତ ରହିଛି’ ।
କସ୍ତୁରବା ନଗର ବିଧାୟକ ମଦନଲାଲ ନିଜ ଇସ୍ତଫାପତ୍ରରେ ଲେଖିଥିଲେ, ‘ଆମ୍ ଆଦମୀ ପାର୍ଟି ଉପରୁ ମୋର ସମ୍ପୂର୍ଣ୍ଣ ଭରସା ତୁଟି ଯାଇଛି । ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଉଛି’ ।