21

ଆମ୍ବୁଲାନ୍ସ-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୫ ମୃତ

ଦେଶ - ବିଦେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶନିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ସହ ଆମ୍ବୁଲାନ୍ସର ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସଟି ରାଜସ୍ଥାନର ଜୟପୁରରୁ ଏକ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଡ୍ରାଇଭର ସାମିଲ ରହିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ସୁବେହା ଥାନା ଅନ୍ତର୍ଗତ ଗେରାଁୱା ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଜୟପୁରରୁ ଅଜିଜୁଲ ହକ୍ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ନେଇ ଆମ୍ବୁଲାନ୍ସଟି ପଶ୍ଚିମବଙ୍ଗ ଯାଉଥିଲା । ଆମ୍ବୁଲାନ୍ସରେ ମୃତଦେହ ସହ ପରିବାରର ତିନି ଜଣ ସଦସ୍ୟ ଏବଂ ଦୁଇ ଜଣ ଡ୍ରାଇଭର ଥିଲେ ।

ଏହି ସମୟରେ ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଆମ୍ବୁଲାନ୍ସରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଓ ୟୁପିଇଡିଏର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହାଇଦରଗଡ଼ ସିଏଚ୍ସିକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ପରେ ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ, ଏହି ଦୁର୍ଘଟଣା କିପରି ଘଟିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *