- ଗ୍ରାମ ଅଭିମୁଖେ ପ୍ରଶାସନ: ଏଥର ପ୍ରତି ସୋମବାର ସମସ୍ତ ବ୍ଲକରେ ହେବ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
- ଆସନ୍ତା ମାସ ୪ଟି ସୋମବାରରେ ୪ଟି ଉପଖଣ୍ଡ ମୁଖ୍ୟାଳୟରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵ।ଵଧାନରେ ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ବିଶେଷ ସୂଚନା ଏହାକିଯେ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ” ଗ୍ରାମ ଅଭିମୁଖେ ପ୍ରଶାସନ ” ଯୋଜନା ମାଧ୍ୟମରେ ଏବେ ପ୍ରତି ବ୍ଲକ ସ୍ତରରେ ସମ୍ପର୍କିତ ପଂଚାୟତ ଓ ଗ୍ରାମର ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପ୍ରତି ସୋମବାର ଦିନ ଅନୁଷ୍ଠିତ ହେବ।
ସମସ୍ତ ବ୍ଲକର ବିଡ଼ିଓ ମାନଙ୍କ ତତ୍ୱାବଧାନରେ ଏହି ଜନଶୁଣାଣି ସପ୍ତାହର ପ୍ରତ୍ୟେକ ସୋମବାର ଦିନ ୧୦ଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଜନ ଅଭିଯୋଗ ଶୁଣାଣି ସମାୟରେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ ତହସିଲ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିବାପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। ଉପଖଣ୍ଡ ସଦର ମହକୁମା ଗୁଡିକରେ ଯେଉଁଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ଅନୁଷ୍ଠିତ ହେବ ସେହି ଦିନ ଉପଖଣ୍ଡ ମୁଖ୍ୟାଳୟ ବ୍ଲକ (ଉଦଳା, ରାଇରଙ୍ଗପୁର, ବାରିପଦା, କରଞ୍ଜିଆ) ଠାରେ ଅଭିଯୋଗ ଶୁଣାଣି ବନ୍ଦ ରହିବ।
ଫେବୃଆରୀ ମାସର ପ୍ରଥମ ସୋମବାର ୩ ତାରିଖ ସଦର ମହକୁମା ଉପଖଣ୍ଡ ବାରିପଦାର ୧୦ଟି ବ୍ଲକର ଜନସାଧାରଣଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପରୋକ୍ତ ଶିବିର ଅନୁଷ୍ଠିତ ହେବ। ସେହିପରି ଫେବୃଆରୀ ମାସ ଦ୍ୱିତୀୟ ସୋମବାର ୧୦ ତାରିଖ ବାମନଘାଟି ଉପଖଣ୍ଡର ୭ଟି ବ୍ଲକର ଜନସାଧାରଣଙ୍କ ପାଇଁ ବାମନଘାଟି ଉପଜିଲ୍ଲାପାଳଙ୍କ ରାଇରଙ୍ଗପୁର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ସେହିପରି, ତୃତୀୟ ସୋମବାର ଅର୍ଥାତ ୧୭ ତାରିଖ ପଞ୍ଚପିଢ଼ ଉପଖଣ୍ଡର ୫ଟି ବ୍ଲକର ଜନସାଧାରଣଙ୍କ ପାଇଁ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ମାସର ଚତୁର୍ଥ ସୋମବାର ୨୪ ତାରିଖ କପ୍ତିପଦା ଉପଖଣ୍ଡର ୪ଟି ବ୍ଲକର ଜନସାଧାରଣଙ୍କ ପାଇଁ ଉଦଳା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ।
ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କ ଉପସ୍ଥିତିରେ ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ଶିବିର ରେ ସମ୍ପୃକ୍ତ ଉପଖଣ୍ଡର ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଲାଇନ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।
ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପସ୍ଥିତ ରହି ଜଣାଇ ପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଜଣାଇଛନ୍ତି।