ଭୁବନେଶ୍ବର : ପୁଣି ଥରେ ଭୁବନେଶ୍ବରରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍ । ପେଣ୍ଟା ଏ ଷ୍ଟୁଡିଓରେ ସିବିଆଇର ଚଢ଼ାଉ। ଏହାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ବାସଭବନରେ ରେଡ୍ । ଆଦିତ୍ୟ ଇନଫ୍ରାଟେକ୍ ଏମଡି ଦେବଦତ୍ତ ମହାପାତ୍ରଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା । ଆଜି ସିବିଆଇ ଅଫିସକୁ କିଛି ସମୟ ପାଇଁ ଆସିଥିଲେ ଦେବଦତ୍ତଙ୍କ ସମ୍ପର୍କୀୟ। ପ୍ରାୟ ୩୦ ମିନିଟ ଧରି ସେ ସିବିଆଇ ଅଫିସରେ ରହିଥିଲେ । ତେବେ ପଚରାଉଚରା ପରେ ସେ କିଛି ପ୍ରତିକ୍ରିୟା ରଖିନାହାନ୍ତି ।
ଆଦିତ୍ୟ ଇନଫ୍ରା ଟେକ ଅଫିସରେ ମଧ୍ୟ ସିବିଆଇ ଟିମ ରେଡ୍ କରୁଛି । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଖୋଳତାଡ଼ ଚାଲିଛି। ଚଢାଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ଓ କାଗଜପତ୍ର ଯାଞ୍ଚ କରଛି ସିବିଆଇ। ରିମାଣ୍ଡରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ , ଆଦିତ୍ୟ ଇନଫ୍ରା ଟେକ୍ ମୁଖ୍ୟ ଦେବଦତ୍ତ ମହାପାତ୍ର, ପେଣ୍ଟା ଏ ଷ୍ଟୁଡିଓ ଏମଡି ସନ୍ତୋଷ ମହାରଣାଙ୍କୁ ସିବିଆଇ ଅଧିକାରୀ ଜେରା କରୁଛନ୍ତି ।
ଦଶ ଲକ୍ଷ ଟଙ୍କାର ଏହି ଲାଞ୍ଚ ମାମଲାରେ ସନ୍ତୋଷ ମହାରଣାଙ୍କ ବାପା ମନମୋହନ ମହାରଣା ଘଟଣା ପରେ ଫେରାର ହୋଇ ଯାଇଛନ୍ତି । ଆସନ୍ତାକାଲି ଚଞ୍ଚଳ ମୁଖାର୍ଜୀଙ୍କ ପାଇଁ ଜାମିନ ଆବେଦନ କରିବେ ତାଙ୍କ ଓକିଲ ରାଜେଶ ମିଶ୍ର। ଦୁଇଟି ପର୍ଯ୍ୟାୟରେ ୮ ଦିନ ପାଇଁ ରିମାଣ୍ଡରେ ନେଇଥିଲା CBI । ପ୍ରଥମ ପର୍ଯ୍ୟାୟରେ ୩ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେଇଛି। ରିମାଣ୍ଡ ପରେ କାଲି ସିବିଆଇ ତିନି ଅଭିଯୁକ୍ତଙ୍କୁ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରିବ। ଆଜି CBI ଅଫିସ ରେ ପହଂଚି ଚଞ୍ଚଳ ମୁଖାର୍ଜୀ ଙ୍କୁ ଭେଟିବାକୁ ଆସିଥିଲେ ତାଙ୍କ ଓକିଲ।