Udala1

ମୃତ ଯବାନଙ୍କ ଟଙ୍କା ପାଇବାକୁ ସାଂଘାତିକ ଫର୍ଜରୀ, ଜାଲିଆତି କରି ଖାଇଦେଲେ ୨୦ ଲକ୍ଷ

State

ଉଦଳା : ମୃତ ଯବାନଙ୍କ ଟଙ୍କା ପାଇବାକୁ ସାଂଘାତିକ ଫର୍ଜରୀ କରିଛନ୍ତି କିଛି ଲୋକ । ଏମିତିକି ଫର୍ଜରୀ କରି ସିଆଇଏସଏଫରୁ ୨୦ ଲକ୍ଷ ଟଙ୍କା ଆଣି ବାଣ୍ଟିକୁଣ୍ଟି ଖାଇଛନ୍ତି । କିନ୍ତୁ ପର ଟଙ୍କାକୁ ସିନା ଛଳ କରି ଖାଇଦେଲେ ହେଲେ ଏବେ ପଡିଛନ୍ତି ହରଡଘଣାରେ । ଦର୍ଶକବନ୍ଧୁ ଟଙ୍କା ଖାଇବାକୁ ଏମିତି ଜାଲିଆତି କରାଯାଇଛି ଯାହାକୁ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ତାହେଲେ ଚାଲନ୍ତୁ ଜାଣିବା ପୂରା ଘଟଣା କଣ ସମ୍ପର୍କରେ ।

ଏକ ପୁରୁଣା କୋର୍ଟ ଅର୍ଡରକୁ କରାଯାଇଥିଲା ଜାଲିଆତି। ଯେଉଁଥିରେ ବିଚାରପତିଙ୍କ ଦସ୍ତଖତ ଏବଂ ସିଲକୁ ଜାଲ କରି ଲୁଟିନେଲେ ମୃତ ଯବାନଙ୍କ ପେନସନ ଟଙ୍କା। ଏଭଳି ଏକ ଘଟଣାରେ ୪ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ହୋଇଯାଇଛନ୍ତି ଘଟଣାର ମାଷ୍ଟର ମାଇଣ୍ଡ ଥିବା ସରକାରୀ ଓକିଲ। ୨୦୨୧ ମସିହାରେ ଏକ ଛାଡ଼ପତ୍ର ମାମଲାରେ ବିଚାରପତି ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ହେଲେ ୨୦୦୭ ମସିହାରେ ଉକ୍ତ ୨୦୨୧ ମସିହାର କୋର୍ଟ ଅର୍ଡରକୁ ଜାଲିଆତି କରି ସିଆଇଏସଏଫର ଯବାନ ଯଦୁନାଥ ସିଂ ଏବଂ ତାଙ୍କ ସ୍ତ୍ରୀ ମିନତୀଙ୍କ ମଧ୍ୟରେ ଛାଡ଼ ପତ୍ର ହୋଇଥିବାର ଜାଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ଏବଂ ପରବର୍ତ୍ତୀ ସମୟରେ ଯଦୁନାଥ ଏବଂ ତାଙ୍କ ଭାଉଜ ସୋମବାରୀଙ୍କର ବିବାହ ହୋଇଥିବା ନେଇ ଏକ ବିବାହ ସାର୍ଟିଫିକେଟ ମଧ୍ୟ ହାସଲ କରିଥିଲେ।

ତେବେ ୨୦୨୩ ମସିହାରେ ସିଆଇଏସଏଫ ଯବାନ ଯଦୁନାଥଙ୍କ ଦେହାନ୍ତ ହେବା ପରେ ଉକ୍ତ ଜାଲ ଦସ୍ତାବିଜ ଦେଇ ସିଆଇଏସଏଫରୁ ୨୦ ଲକ୍ଷ ଟଙ୍କା ପେନସନ ବାବଦକୁ ଉଠାଇ ଆଣିଥିଲେ। ଯାହାକି ପରେ ଜାଲିଆତି କରି ଏହି ଟଙ୍କା ଉଠା ଯାଇଥିବା ସନ୍ଦେହ କରିଥିଲେ ସିଆଇଏସଏଫ୍ । ଏହାର ସତ୍ୟତା ଜାଣିବା ପାଇଁ ଘଟଣାର ତଦନ୍ତ କରାଯାଇଥିଲା, ଯାହା ଫଳରେ ଏହି ପୁରା ଜାଲିଆତିର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଜଣେ ମହୁରଲ ବନମାଳୀ ସିଂ, କମ୍ପ୍ୟୁଟର ଦୋକାନୀ ବିଜୟ ପାତ୍ର ଏବଂ ମୃତ ଯବାନଙ୍କ ଭାଉଜ ସୋମବାରୀ ଓ ତାଙ୍କ ପୁତୁରା ନିଲମ ସିଂ କୁ ଉଦଳା ପୋଲିସ ଗିରଫ କରିଛି। ଏବଂ ଘଟଣାର ମୁଖ୍ୟ ସରକାରୀ ଓକିଲ ପ୍ରତିମା ସାହୁ ଫେରାର ହୋଇଯାଇଛନ୍ତି ।