Zeennat

ଜିନ୍ନତ୍ ପାଇଁ ଝାରଖଣ୍ଡରେ ହାଇଆଲର୍ଟ: ୧୬୩ ଧାରା ଜାରି

State

ଭୁବନେଶ୍ବର: ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ୍ । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇଛି । ସେ ଝାଡ଼ଖଣ୍ଡର ଚାକୁଳିଆ ରେଞ୍ଜର ଭାଟକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚିଆବାନ୍ଧିର ସିଧୋ-କନହୋ ଛକ ନିକଟରେ ଏକ ଜଙ୍ଗଲରେ ରହିଥିବାରୁ ବର୍ତ୍ତମାନ ସେ ଏରିଆରେ ହାଇଆଲର୍ଟ ଜାରି କରାଯାଇଛି । ଜିନ୍ନତ୍ ଭୟରେ ଆଖପାଖ ଅଞ୍ଚଳର ୪ଟି ସ୍ପୁଲକୁ ଗତ ମଙ୍ଗଳବାର ଠାରୁ ବନ୍ଦ କରିଦିଆଯାଇଛି ।

ଏଥିସହିତ ବନବିଭାଗ ଦ୍ବାରା ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅଯୋଥା ଘରୁ ନବାହାରିବା ପାଇଁ ସତର୍କ କରାଯାଇଛି । ତାହା ସହିତ ଜିନ୍ନତ୍ ବୁଲୁଥିବା ଅଞ୍ଚଳମାନଙ୍କରେ ୧୬୩ ଧାରା ଜାରି କରାଯାଇଛି । ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ପୂର୍ବ ସିଂହଭୂମି ଜିଲ୍ଲା ଘାଟିସିଆ ଉପଜିଲ୍ଲାପାଳ ।

ସେପଟେ କଟକଣା ଲାଗୁ ହେବା ପରେ ଚିଆବାନ୍ଧି, କାଡସିଙ୍ଗା, ବାଲଡ୍ରାଶୋଡ ଓ ଧାଡିକା ଗାଁର ଲୋକେ ବାହାରକୁ ବାହାରୁନାହାନ୍ତି । ଅନ୍ୟପଟରେ ଜିନ୍ନତ୍ ଦୁଇ ଦିନ ହେଲାଣି ଜିଆବାନ୍ଧି ଜଙ୍ଗଲରେ ଭିତରେ ବିଚରଣ କରୁଥିବା ବେଳେ ଏବେ ସେ ଧିରେ ଧିରେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ଜିନ୍ନତର ଗତିବିଧି ଉପରେ ଉଭୟ ରାଜ୍ୟର ନଜର ରହିଥିବା ବେଳେ ଜିନ୍ନତକୁ ଫେରେଇ ଆଣିବା ପାଇଁ ଓଡିଶା ପ୍ରଚେଷ୍ଟା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଜିନ୍ନତକୁ ଟ୍ରାଙ୍କୁଲାଇଜ୍ ନକରି ପ୍ରାକୃତିକ ଉପାୟରେ ଓଡିଶା ଜଙ୍ଗଲକୁ ଫେରାଇଆଣିବା ପାଇଁ ଉଦ୍ୟମ କରାଯାଉଛି ।