Midday Meal 750x430

କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

State

ଭୁବନେଶ୍ୱର: ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ଏହି ସହାୟତା ମିଳିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପାଚିକାଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଥିଲା । ଏହାକୁ ଦୃଷ୍ଟିରେ ରଖି ମୃତ୍ୟୁକାଳୀନ ସହାୟତା ଆକାରରେ ୧ ଲକ୍ଷ ଟଙ୍କା ପରିବାର ସଦସ୍ୟଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ପାଇଁ ଉଦ୍ଦିଷ୍ଟ ବଜେଟରୁ ବହନ କରାଯିବ ବୋଲି ସୂଚନା ରହିଛି ।

ଏହି ସହାୟତା ପାଇବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଦତ୍ତ ମୃତ ପାଚିକାଙ୍କ ମୃତ୍ୟୁ ପ୍ରମାଣପତ୍ରର ନକଲ, ତହସିଲଦାରଙ୍କ ଦ୍ବାରା ପ୍ରଦତ୍ତ ମୃତ ପାଚିକାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରର ନକଲ, ମୃତ ପାଚିକା ଓ ଦାବିଦାରଙ୍କ ଆଧାର କାର୍ଡର ନକଲ, ଦାବିଦାରଙ୍କ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠାର ନକଲ, ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କଠାରୁ ଆବଶ୍ୟକ ସୁପାରିସ ଆଦି କାଗଜପତ୍ର ଆବଶ୍ୟକ । ସହାୟତା ରାଶି ସିଧାସଳଖ ଦାବିଦାରଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ସୂଚନା ଦିଆଯାଇଛି ।