କଟକ : ସିପାହି କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ଓଡିଶା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ । ଏ ସଂପର୍କରେ ଓଡ଼ିଶା ପୋଲିସ ସିଲେକ୍ସନ୍ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି ।
ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ ଏବଂ ଅନ୍ ଲାଇନ୍ ରେ କିପରି ପ୍ରାର୍ଥୀମାନେ କିପରି ନିଜ ଦରଖାସ୍ତ ଦାଖଲ କରିପାରିବେ ସେ ନେଇ ବୋର୍ଡ ଆବଶ୍ୟକ ବ୍ୟବସ୍ଥା କରିବ । କରୋନା ମହାମାରୀ ପାଇଁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହି ଥିବାରୁ ଗୋଟିଏ ଥର ପାଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶ୍ଵେଶ୍ଵର ବିଶ୍ଵାଳ ଓ ଅନ୍ୟମାନଙ୍କ ତରଫରୁ ଦାୟର ୪୦ରୁ ଅଧିକ ମାମଲାର ଏକତ୍ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି । ରାଜ୍ୟରେ ୧୩୬୦ଟି ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ ୨୦୨୪ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
୨୦୨୪ ଜାନୁଆରି୧ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଥିଲା । ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ବ୍ୟବସ୍ଥା ରଖାଯାଇଥିଲା । ଅନ୍ୟପକ୍ଷରେ ଶେଷଥର ୨୦୧୮ରେ ଓଡ଼ିଶା ପୋଲିସରେ ସିପାହି କନେଷ୍ଟବଳ ପଦ ପୂରଣ ପାଇଁ ନିଯୁତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କିଛି ଆଶାୟୀ ପ୍ରାର୍ଥୀ ଦାବି କରିଥିଲେ । ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପମି ରଥ, ଆଇନଜୀବୀ ପ୍ରିୟଞ୍ଜନ ସିଂହ, ବିପ୍ଳବ ପି.ବି.ବାହାଲି, ରାଜୀବ ରଥ, କ୍ଷୀରୋଦ କୁମାର ରାଉତ ଓ ଅନ୍ୟମାନେ ମାମଲା ପରିଚାଳନା କରୁଥିଲେ ।