Subhadra 3 750x370

ଡିସେମ୍ବରରେ ସରିବ ସୁଭଦ୍ରା ପ୍ରଥମ କିସ୍ତି, ଉପକୃତ ହେଲେଣି ୮୦ ଲକ୍ଷ ମହିଳା

State

ଭୁବନେଶ୍ବର: ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା ସହାୟତାର ପ୍ରଥମ କିସ୍ତିର ଏହାର ହେବ ଶେଷ ପର୍ଯ୍ୟାୟ । ଏଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ତୃତୀୟ ପର୍ଯ୍ୟାୟ ସୁଦ୍ଧା ୮୦ ଲକ୍ଷରୁ ଅଧିକ ମହିଳା ସୁଭଦ୍ରାର ଲାଭ ଉଠାଇଥିବା ବେଳେ ଡିସେମ୍ବରରେ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଏହାପରେ ଆସନ୍ତା ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ । ଏହା ମଧ୍ୟରେ ଯେଉଁମାନେ ଜାନୁଆରୀ କିମ୍ବା ଫେବୃଆରୀରେ ଆବେଦନ କରିଥିବେ, ସେମାନଙ୍କୁ ସିଧାସଳଖ ମାର୍ଚ୍ଚରେ ଦୁଇଟି କିସ୍ତି ଟଙ୍କା ମିଳିବ ।

ତେବେ ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟରେ ୮୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଗଲାଣି। ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ହସ୍ତାନ୍ତର କରାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମୟୂରଭଞ୍ଜର ବାରିପଦାଠାରେ ସହାୟତା ଟଙ୍କା ପ୍ରଦାନ କରାଯାଇଥିଲା । ଗତକାଲି ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଛି।

ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ ହୋଇଥିବା ବେଳେ ଏଥିରୁ ୨ ଲକ୍ଷ ୬୭ ହଜାର ମହିଳା ରିଜେକ୍ଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ସଂଶୋଧିତ ଆବେଦନକୁ ଗତକାଲି ଅନୁମୋଦିତ କରାଯାଇଥିବା ବେଳେ ଆହୁରି ୭୫ ପ୍ରତିଶତଙ୍କ ମଧ୍ୟରୁ କିଛି ବିଚାରଧିନ ଅବସ୍ଥାରେ, ଆଉ କିଛି ବିଭିନ୍ନ କାରଣରୁ ରିଜେକ୍ଟ ହୋଇଛି । ଏଥିସହିତ ୫ ଲକ୍ଷ ହିତାଧିକାରୀଙ୍କ ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଥିବାରୁ ଖାତାକୁ ଟଙ୍କା ଯିବାରେ ଅସୁବିଧା ହେଉଛି । ତେବେ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ସୁଭଦ୍ରା ପାଇଁ ଆବେଦନ କରିହେବ ।