ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକ୍ତି କରିବା ଲାଗି ଦାବି କରିଛନ୍ତି ଆମେରିକୀୟ ସାଂସଦ। ଏଥିଲାଗି ୪୬ ସାଂସଦ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଦାବି ଜଣାଇଛନ୍ତି। ଇମ୍ରାନଙ୍କ ସହିତ ଜେଲରେ ବନ୍ଦୀ ଥିବା ଅନ୍ୟ ନେତାମାନଙ୍କୁ ବି ମୁକ୍ତ କରିବାକୁ ସାଂସଦମାନେ ଦାବି କରିଛନ୍ତି।
ପାକିସ୍ତାନରେ ରାଜନୈତିକ ବନ୍ଦୀ, ମାନବାଧିକାର ଉଲ୍ଲଂଘନ ଏବଂ ଗଣତାନ୍ତ୍ରିକ ନୀତି ସମ୍ପର୍କରେ ଜାତିସଂଘର ଏକ ପ୍ରତିନିଧି ଦଳ ତଥ୍ୟ ସଂଗ୍ରହ କରିଥିଲେ। ଏହା ପରେ ସାଂସଦମାନେ ରାଷ୍ଟ୍ରପତିଙ୍କୁ ଭେଟି ରାଜନୈତିକ ବନ୍ଦୀମାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଦାବି ଜଣାଇଛନ୍ତି। ପାକିସ୍ତାନ ତେହରୀକ ଇ ଇନସାଫ (ପିଟିଆଇ)ର ଆମେରିକା ଶାଖା ଏ ସମ୍ପର୍କିତ ଚିଠିକୁ ସାମାଜିକ ଗଣମାଧ୍ୟମରେ ସାର୍ବଜନୀନ କରିଥିଲେ। ସାଂସଦମାନେ ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମଙ୍କୁ ସମାଲୋଚନା କରିଥିଲେ। ପାକିସ୍ତାନରେ ଚାଲିଥିବା ଅରାଜକତା ଏବଂ ସମସ୍ୟା ଲୋକଲୋଚନକୁ ଆଣିବାରେ ସେ ବିଫଳ ହୋଇଥିବା ସାଂସଦମାନେ କହିଥିଲେ। ପାକିସ୍ତାନରେ ମାନବାଧିକାର ଉଲ୍ଲଂଘନ ସହିତ ୨୦୨୪ ଫେବୃୟାରୀ ନିର୍ବାଚନରେ ହୋଇଥିବା ଅନିୟମିତତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ୨୦୨୩ ଅଗଷ୍ଟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ବନ୍ଦୀ କରି ରଖାଯାଇଛି। ତାଙ୍କ ସହିତ ପିଟିଆଇ ନେତା ୟାସମିନ ରଶିଦ, ଶାହ ମେହମ୍ମୁଦ କୁରେଶୀ ଏବଂ ଅନ୍ୟ ନେତାମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହା ସହିତ ପାକିସ୍ତାନରେ ସାମାଜିକ ଗଣମାଧ୍ୟଗୁଡ଼ିକ ଉପରେ କଟକଣା, ଇଣ୍ଟରନେଟ ସ୍ପିଡ୍ ହ୍ରାସ ଆଦିକୁ ସାଂସଦମାନେ ସମାଲୋଚନା କରିଛନ୍ତି।