ବାରିପଦା : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହଯୋଗରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଇରୀ) ପକ୍ଷରୁ ଓଡ଼ିଶାରେ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଏକ ଶିକ୍ଷାମୂଳକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଓଡ଼ିଶାର ଜଳବାୟୁ ସହନଶୀଳ ଧାନ ଭିତ୍ତିକ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦେଇ କୃଷକ ଓ କୃଷି ଅଂଶୀଦାରଙ୍କ ମଧ୍ୟରେ ଜ୍ଞାନ ବିନିମୟ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖାଯାଇଥିଲା ।
ଏହି କର୍ମଶାଳାରେ ମୟୂରଭଞ୍ଜ ମୁଖ୍ୟ ଜିଲ୍ଲା କୃଷି ବିଭାଗ ଅଧିକାରୀ, ଶ୍ରୀ ସିଦ୍ଧାର୍ଥ କୁମାର ବେହୁରା, ବାଲେଶ୍ଵର ଜିଲ୍ଲା କୃଷି ଅଧିକାରୀ, ତୁଷାର କାନ୍ତି ତୁଙ୍ଗ, ଯୋଜନା ଅଧିକାରୀ ମଧୁସ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ । ତାହାସହିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ପ୍ଳାବିତା ରାୟ ଓ ଅନେକ କୃଷି ବୈଜ୍ଞାନିକ, କୃଷି ଅଧିକାରୀ, କୃଷକ, ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫପିସି)ର ନେତୃତ୍ଵ ବୃନ୍ଦ ଓ ସଦସ୍ୟ, ସମେତ ବିଭିନ୍ନ ଅଂଶୀଦାରଙ୍କୁ ଏକାଠି କରାଯାଇ ଓଡ଼ିଶାରେ ସ୍ଥାୟୀ ଏବଂ ନିରନ୍ତର କୃଷିର ଭବିଷ୍ୟତକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି କର୍ମଶାଳାରେ ସରକାରୀ କୃଷି ଅଧିକାରୀ, କ୍ଲାଇମେଟପ୍ରୋ ପ୍ରକଳ୍ପରେ ସମ୍ପୃକ୍ତ ଥିବା ପାଣି ପଞ୍ଚୟତର କର୍ମକର୍ତ୍ତା, କୃଷକ ଏବଂ କୃଷକ ଉତ୍ପାଦକ ସଂଗଠନର ସଦସ୍ୟ ମାନେ ନିଜର ଅଭିଜ୍ଞତା ପ୍ରଦାନ କରିଥିଲେ ।
କର୍ମଶାଳାରେ ମୁଖ୍ୟତଃ ଜଳବାଯୁ ପରିବର୍ତ୍ତନକୁ ପ୍ରତିହତ କରି କିଭଳି ସାଂପ୍ରତିକ ସମୟରେ କୃଷି କ୍ଷେତ୍ର ରେ ଉନ୍ନତି ଆଣିବା ସହିତ ଚାଷୀ ମାନଙ୍କ ଉତ୍ପାଦନରେ ବୃଦ୍ଧି ଆଣି, ଗୋଷ୍ଠୀ ଦ୍ୱାରା ପରିଚାଳିତ ବିହନ ବ୍ୟବସ୍ଥାକୁ ବୃଦ୍ଧି କରିବା, ଜଳବାୟୁ ସହନଶୀଳ ଜ୍ଞାନକୌଶଳ ସହିତ ଜୈବିକ ଉପାୟରେ ସମନ୍ଵିତ ପୋଷକ ତତ୍ତ୍ୱ ପରିଚାଳନା ଏବଂ ଏହି ଅଞ୍ଚଳରେ କ୍ଲାଇମେଟପ୍ରୋ ପ୍ରକଳ୍ପ ଦ୍ଵାରା କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋଚନା କରାଯାଇଛି ।
ଇରୀର ମୟୂରଭଞ୍ଜଜିଲ୍ଲା ସଂଯୋଜକ ପ୍ରଦୂମ୍ନ କୁମାର ଧଳ ଉପସ୍ଥିତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ କାର୍ମଶାଳାର ଉଦେଶ୍ୟ ବିଷୟରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ସମାବେଶକୁ ସମ୍ବୋଧିତ କରି କ୍ଲାଇମେଟପ୍ରୋର ପ୍ରକଳ୍ପ ସଂଯୋଜକ ଜ୍ଞାନଦୀପ ପାଣ୍ଡିଆ କ୍ଲାଇମେଟପ୍ରୋ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସାତଟି ପ୍ରମୁଖ ଉପାଦାନ ଉପରେ ଆଲୋକପାତ କରିବା ସହିତ ଓଡ଼ିଶାର କୃଷି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନପାଇଁ ସେଥିରେ କିପରି ସ୍ଥିରତା, ଉତ୍ପାଦକତା ଏବଂ ଗୋଷ୍ଠୀ ଭିତ୍ତିକ ସମ୍ବଳ ପରିଚାଳନାବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବା ପାଇଁ ଆଲୋକପାତ କରିଥିଲେ।
ମୟୂରଭଞ୍ଜରେ ଇରୀର ବିଭିନ୍ନ କାର୍ଯ ପନ୍ଥା ଯାହାକି ମୟୂରଭଞ୍ଜ ଜିଲ୍ଲା ର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଜଳବାୟୁ ପରିବର୍ତ୍ତନ ର ବିଭନ୍ନ କୁ ପ୍ରଭାବ ଏବଂ ତାକୁ ପ୍ରତିହତ କରିବାର ଉପାୟ ଉପରେ ଆଲୋକପାତ କରି ବିଶେଷଜ୍ଞ ଦିଲ୍ଲୀପ କୁମାର ରାଉତ କହିଲେ, “କ୍ଲାଇମେଟପ୍ରୋ ଅଧୀନରେ ଆମେ ମୟୂରଭଞ୍ଜର ୨୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି) ଅଞ୍ଚଳରେ ୭୮୦ ହେକ୍ଟର ଜମିରେ ୨୮୦୦ ଚାଷୀଙ୍କ ସହ କାମ କରୁଛୁ। ଇରୀ କ୍ରପ୍ କ୍ୟାଫେଟେରିଆ ଏବଂ କ୍ଷେତ ପ୍ରଦର୍ଶନ ମାଧ୍ୟମରେ ଆଶାଜନକ ଉଚ୍ଚ ଉତ୍ପାଦନକାରୀ ଏବଂ ଚାପ ସହଣୀ ଧାନ କିଶମକୁ ପ୍ରୋତ୍ସାହିତ କରୁଛି ।
ଏହି କର୍ମଶାଳାରେ ମୟୂରଭଞ୍ଜ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ବେହୁରା ନୂତନ ଚାପ ସହିଷ୍ଣୁ ଧାନ ପ୍ରଜାତି ର ପରୀକ୍ଷଣ ଓ ପ୍ରୋତ୍ସାହନ ତଥା ସ୍ଥାୟୀ କୃଷି ପଦ୍ଧତି ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଲାଇମେଟ ସ୍ମାର୍ଟ ଗ୍ରାମର ପ୍ରଚାର ଓ ପ୍ରସାର ଉପରେ ଯୋର ଦେବା ସହିତ ତାହାର କିପରି ଅନ୍ୟ ବ୍ଲକ ଗୁଡିକରେ ହୋଇପାରିବ ତା’ ଉପରେ ଉଚିତ ପଦକ୍ଷେପ ନେବା ପାଇଁ କହିଥିଲେ।
ଏହି ଅବସରରେ ବାଲେଶ୍ଵର ଜିଲ୍ଲା କୃଷି ଅଧିକାରୀ, ତୁଷାର କାନ୍ତି ତୁଙ୍ଗ କହିଲେ, ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଦିଗରେ ଓଡ଼ିଶାରେ କ୍ଲାଇମେଟପ୍ରୋ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ହସ୍ତକ୍ଷେପ ମାଧ୍ୟମରେ ଆମେ କେବଳ ଧାନ ଭିତ୍ତିକ ଚାଷ ପ୍ରଣାଳୀର ସ୍ଥିରତା ବୃଦ୍ଧି କରୁନାହୁଁ ବରଂ ଅନିଶ୍ଚିତ ପରିବେଶରେ ସମୃଦ୍ଧ ହେବା ପାଇଁ କୃଷକମାନଙ୍କୁ ଆବଶ୍ୟକ ଉପକରଣ ଏବଂ ଜ୍ଞାନ ମଧ୍ୟ ସୁନିଶ୍ଚିତ କରୁଛୁ ।
ପ୍ରଶିକ୍ଷଣ ଓ ବୈଷୟିକ ସହାୟତା ମାଧ୍ୟମରେ କୃଷକଙ୍କ ଦକ୍ଷତା ବୃଦ୍ଧି ଜାରି ରଖିବାକୁ ପ୍ରତିଶ୍ରୁତି ଦେଇ କର୍ମଶାଳା ଶେଷ ହୋଇଥିଲା। କର୍ମଶାଳାରୁ ମିଳିଥିବା ମୂଲ୍ୟବାନ ବୁଝାମଣା ପାଇଁ ଅଂଶଗ୍ରହଣକାରୀମାନେ ପ୍ରଶଂସା କରିବା ସହ ମୟୂରଭଞ୍ଜ ଜିଲ୍ଲାର କୃଷକମାନେ ଯେପରି ଅଧିକ ଅମଳକ୍ଷମ ଓ ଚାପ ସହଣି ଧାନ କିସମରୁ ଉପକୃତ ହୁଅନ୍ତି ଏବଂ ଉନ୍ନତ କୃଷି ପଦ୍ଧତିରେ ଉନ୍ନତି ଆଣି ଚାଷୀଙ୍କ ପାଇଁ ଅଧିକ ଲାଭ ପାଇବେ ସେଥିପ୍ରତି ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।