ଗୋଟିଏ ଇଭିଏମର ବ୍ୟାଟେରୀ ଠିକ କ୍ୟାଲକୁଲେଟର ଭଳି। ସେହିପରି ପେଜର୍ସ ଭଳି ଇଭିଏମରେ କୌଣସି ପ୍ରକାରର ହେରଫେର କରାଯାଇ ପାରିବ ନାହିଁ ନାହିଁ ବୋଲି ଭାରତୀୟ ନିର୍ବାଚନ କମିଶନ କହିଛନ୍ତି। ପେଜର୍ସ ଭଳି ଇଭିଏମକୁ ମଧ୍ୟ ଟ୍ୟାମ୍ପରିଂ କରି ହେବ ବୋଲି କଂଗ୍ରେସ କରୁଥିବା ଅଭିଯୋଗ ଉପରେ ଆଜି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏପରି ମତ ରଖିଛନ୍ତି।
କଂଗ୍ରେସ ଅଭିଯୋଗ କରିଥିଲା ଯେ ହରିୟାଣା ବିଧାନସଭା ନିର୍ବାଚନ ବେଳେ ବିଭିନ୍ନ ବୁଥରେ ଇଭିଏମ ବ୍ୟାଟେରୀର ସ୍ତର ଭିନ୍ନଭିନ୍ନ ରହିଥିଲା। ତେଣୁ ଏହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛି।
ଆଜି ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଇଭିଏମର ବ୍ୟବହାର ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି, ଇଭିଏମ ସଂପୂର୍ଣ୍ଣ ଭାବେ ସୁଦୃଢ଼ ଓ ସୁରକ୍ଷିତ ଥିଲା। ସେହିପରି ଗଲା ୧୫ରୁ ୨୦ଟି ନିର୍ବାଚନ ରେଜଲ୍ଟରୁ ସ୍ପଷ୍ଟ ହୋଇଛି ଯେ ଇଭିଏମରେ କୌଣସି ତ୍ରୁଟି ନାହିଁ। ବରଂ ଏହା ଭୋଟରଙ୍କ ପସନ୍ଦକୁ ଉଜାଗର କରିଛି।
ଇଭିଏମରେ କ୍ୟାଲକୁଲେଟର ଗୋଟିଏ ଗୋଟିଏ ଥର ବ୍ୟବହାର ହୋଇପାରୁ ଥିବା ବ୍ୟାଟେରୀ ରହିଥାଏ। ଏହା ଗୋଟିଏ ମୋବାଇଲ ବ୍ୟାଟେରୀ ନୁହେଁ ବୋଲି ରାଜୀବ କୁମାର କହିଛନ୍ତି।
କଂଗ୍ରେସ ନେତା ରାଶିଦ ଅଲଭି ଅଭିଯୋଗ କରିଥିଲେ ଯେ ଇସ୍ରାଏଲ ଯେଉଁଭଳି ହେଜବୁଲ୍ଲାର ପେଜର୍ସକୁ ହ୍ୟାକ କରିଥିଲା। ଠିକ ସେହିପରି ଇଭିଏମରେ ମଧ୍ୟ ଟ୍ୟାମ୍ପରିଂ ହୋଇପାରିବ ବୋଲି ସେ ଦାବି କରିଥିଲେ। କିନ୍ତୁ ଏହାକୁ ଇସିଆଇ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ପେଜର୍ସ ସଂଯୋଗ ହୋଇ ରହିଥାଏ। କିନ୍ତୁ ଇଭିଏମଗୁଡ଼ିକ କାହା ସହ ସଂଯୋଗ ହୋଇନଥାଏ।
ବ୍ୟାଟେରୀ ସମେତ ଇଭିଏମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାରୁ ୫ରୁ ୬ ମାସ ପୂର୍ବରୁ ଇଭିଏମଗୁଡ଼ିକ ଯାଞ୍ଚ ହୋଇଥାଏ। ଭୋଟିଂର ୫-୬ ଦିନ ପୂର୍ବରୁ କେଉଁ ଇଭିଏମର ବ୍ୟବହାର ହେବ, ତା’ର ନିଷ୍ପତ୍ତି ହୁଏ। ସେହିଦିନ ଗୋଟିଏ ନୂଆ ବ୍ୟାଟେରୀ ଇଭିଏମରେ ଲଗାଯାଇଥାଏ।
ମେସିଦ ସିଲ ହେବା ପରେ ରାଜନୀତିକ ଦଳର ଏଜେଣ୍ଟମାନେ ଇଭିଏମ ଓ ବ୍ୟାଟେରୀକୁ ବନ୍ଦ କରନ୍ତି। ଏହାପରେ ଇଭିଏମଗୁଡ଼ିକୁ ଷ୍ଟ୍ରଙ୍ଗ ରୁମକୁ ପଠାଯାଇ ଥାଏ। ଏଜେଣ୍ଟମାନଙ୍କ ଆଗରେ ରୁମକୁ ଡବଲ ଲକ କରାଯାଏ। ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥାଏ।”
ହରିୟାଣା ବିଧାନସଭା ନିର୍ବାଚନ ରେଜଲ୍ଟ ୮ ତାରିଖରେ ପ୍ରକାଶ ପାଇଥିଲା। ସମସ୍ତେ କହୁଥିଲେ କଂଗ୍ରେସ ବାଜିମାତ କରିବ। ହେଲେ ଭୋଟ ଗଣତି ପରେ ବିଜେପି ରାଜ୍ୟରେ ହ୍ୟାଟ୍ରିକ ବିଜୟ ହାସଲ କରିଥିଲା। ଏହାପରେ କଂଗ୍ରେସ ଇଭିଏମ ଉପରେ ପ୍ରଶ୍ନ ଉଠାଇଥିଲା। ଦଳ ଅଭିଯୋଗ କରିଥିଲା ଯେ ଯେଉଁ ସବୁ ସ୍ଥାନରେ ଇଭିଏମର ବ୍ୟାଟେରୀ ଚାର୍ଜ ୯୯% ଥିଲା, ସେଠାରେ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି।
କିନ୍ତୁ ଯେଉଁ ସବୁ ସିଟରେ ଇଭିଏମ ବ୍ୟାଟେରୀର ୬୦ରୁ ୭୦% ରହିଥିଲା, ସେଠାରେ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଏନେଇ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରାଯାଇଛି। ୨୦ଟି ନିର୍ବାଚନ ମଣ୍ଡଳୀରେ ଏପରି ଘଟଣା ଘଟିଥିବା ଦଳ କହିଛି।
ଇସିଆଇଙ୍କ କହିବା କଥା ଇଭିଏମରୁ କଣ୍ଟ୍ରୋଲ ୟୁନିଟ(ସିୟୁ)ର ପାୱାର ପ୍ୟାକ ହେଲା ୭.୫ ଭୋଲ୍ଟ କିମ୍ବା ୮ ଭୋଲ୍ଟ। ଇଭିଏମ ଆଲକାଲାଇନ ବ୍ୟାଟେରୀରେ ଚାଲିଥାଏ। ଯେଉଁ ସବୁ ଅଞ୍ଚଳରେ ବିଜୁଳି ନାହିଁ, ସେଠାରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବାକୁ ସକ୍ଷମ।
ଇସିଆଇ ରାଜୀବ କୁମାର କହିଛନ୍ତି, ବ୍ୟାଟେରୀର ବୈଦ୍ୟୁତିକ କ୍ଷମତା ୭.୪ ଭୋଲ୍ଟରୁ ୮ ଭୋଲ୍ଟ ମଧ୍ୟରେ ରହିଥିବା ବେଳେ ଇଭିଏମର ଚାର୍ଜ ୯୯% ରହିଥାଏ ବୋଲି ପ୍ରଦର୍ଶିତ ହୋଇଥାଏ। ଥରେ ଏହି ସ୍ତର ୭.୪ ଭୋଲ୍ଟରୁ ତଳକୁ ଖସିଲେ ଇଭିଏମରେ କେତେ ଚାର୍ଜ ରହିଛି, ତା’ ଡିସପ୍ଲେ ହୋଇଥାଏ।
ବ୍ୟାଟେରୀ ୫.୮ ଭୋଲ୍ଟକୁ ଚାଲି ଆସିଲେ ଇଭିଏମରେ ବ୍ୟାଟେରୀ ବଦଳାଇବାକୁ ସଙ୍କେତ ଦେଇଥାଏ। ବ୍ୟାଟେରୀର କ୍ଷମତା ମକ ପୋଲ ବେଳେ କେତେ ଭୋଟ ହେଲା, କେତେ ପୋଲିଂ ହେଲା ଓ କେତେ ଲୋକ ଭୋଟ ଦେଲା, ତା’ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।