ଭୁବନେଶ୍ବର : ଓଡ଼ିଶାରେ ବିନିଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ। ପାରମ୍ପରିକ ବ୍ୟବସାୟରେ ନିବେଶ ପରେ ଏବେ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ନିବେଶକଙ୍କ ଆଗ୍ରହ ବଢ଼ୁଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ପ୍ରାକୃତିକ ସମ୍ପଦ, ସହଜରେ ଉପଲବ୍ଧ କଞ୍ଚାମାଲ ପାଇଁ ନିବେଶକ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗେଇ ଆସୁଛନ୍ତି। ରାଜ୍ୟର ଇଣ୍ଡଷ୍ଟ୍ରିଆଲ୍ ପଲିସି ରିଜୋଲ୍ୟୁସନ୍ (ଆଇପିଆର୍-୨୦୨୨) ଅନୁସାରେ ଓଡ଼ିଶା ସରକାର ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ଯୋଡ଼ିବା ପାଇଁ କାର୍ଯ୍ୟ କରୁଛନ୍ତି। କ୍ଷେପଣାସ୍ତ୍ର, ରକେଟ୍ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଉପକରଣ ଉତ୍ପାଦନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।
ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ନୀତି ପ୍ରସ୍ତୁତ କରିଛନ୍ତି। ଯେପରି ପର୍ଯ୍ୟାପ୍ତ ପରିମାଣର ଜମିର ଉପଲବ୍ଧତା, ପାଣି ସହ ଆନୁଷଙ୍ଗିକ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା। ଭାରତର ବହୁ ପ୍ରତିଷ୍ଠିତ କମ୍ପାନୀ ଓଡ଼ିଶାରେ ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ କରିସାରିଛନ୍ତି। ଶିଳ୍ପ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣୀ ଗ୍ରୁପ୍ ଢେଙ୍କାନାଳରେ ୧୦୦୦ ଏକର ଜମିରେ ଏକ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି। ଏଠାରେ ସଂଯୁକ୍ତ ଟାଇଟାନିୟମ୍ ଆଲଏଜ୍ ସହ ବିଭିନ୍ନ ମିଶ୍ରିତ ଉତ୍ପାଦକୁ ନେଇ ଏରୋସ୍ପେସ୍ ଉପକରଣ ପ୍ରସ୍ତୁତ କରାଯିବ। ଏଥିପାଇଁ ୨୦,୨୦୪ କୋଟି ଟଙ୍କା ବିନିଯୋଗ ହେଉଛି। ଏଥିସହ ୮,୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି।
ପ୍ରତିରକ୍ଷା କ୍ଷେତ୍ରରେ ଡ୍ରୋନର ବ୍ୟବହାର କରାଯାଉଛି। ଭାରତରେ ହାଇବ୍ରିଡ୍ ଡ୍ରୋନ୍ ଉତ୍ପାଦନ କ୍ଷେତ୍ରରେ ଆନାଡ୍ରୋନ୍ ଏକ ପ୍ରମୁଖ ସଂସ୍ଥା। ଖୋର୍ଦ୍ଧାରେ ୧୦ ଏକର ଜମିରେ ଆନାଡ୍ରୋନ୍ ୫୧ କୋଟି ଟଙ୍କା ନିବେଶରେ ଏକ ୟୁନିଟ୍ ସ୍ଥାପନ କରୁଛି, ଯେଉଁଠାରେ ୧୬୫ ଜଣଙ୍କୁ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମିଳିବ। ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଆଉପାଦେ ଆଗକୁ ଯାଇ ବିସ୍ଫୋରକ ଉତ୍ପାଦ ସଂସ୍ଥା ପ୍ରିମିୟର୍ ଏକ୍ସପ୍ଲୋସିଭ୍ସ ଲି. ରାୟଗଡ଼ାରେ ୪୫୦ ଏକର ଜମିରେ ଏକ ୟୁନିଟ୍ ପ୍ରତିଷ୍ଠା କରୁଛି। ଏଥିରେ ୩୭୫୦ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି।
ଏସବୁ ଭିତରେ ଓଡ଼ିଶାର ଷ୍ଟାର୍ଟଅପ୍ ମଧ୍ୟ ପଛରେ ପଡ଼ିନି। ନୂଆ କରି ଆରମ୍ଭ ହୋଇଥିବା ଏକ ଡ୍ରୋନ୍ କମ୍ପାନୀ ଆଇଜି ଡ୍ରୋନ୍ ଭୁବନେଶ୍ବରରେ ନିଜର ଏକ ସଂସ୍ଥା ପ୍ରତିଷ୍ଠା କରି ଡ୍ରୋନ୍ ଉତ୍ପାଦନ ଉପରେ ଗବେଷଣା ଆରମ୍ଭ କରିଛି। ଦକ୍ଷତା ବିକାଶ ଏବଂ ଉତ୍ପାଦନ ସହ ଟେକ୍ନୋଲୋଜି ଏବଂ ତାଲିମ ପାଇଁ ଆଇଆଇଏମ୍ ସମ୍ବଲପୁର ସହିତ ଏହାର ବୁଝାମଣା ସ୍ବାକ୍ଷର ହୋଇଛି। ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ନୀତି ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ଯୋଗାଉଛି। ପ୍ରମୁଖ କମ୍ପାନୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକର ନିବେଶ ଫଳରେ ଓଡ଼ିଶାରେ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ରର ବିକାଶ ହେବ ବୋଲି ଆଶା କରାଯାଉଛି। ଇପିକଲ୍ ଓ ଇଡ୍କୋ ସହାୟତାରେ ଓଡ଼ିଶାରେ ଏହି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ଏବଂ ନୂତନତ୍ବ ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି।