ବରଗଡ଼ : ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ହେଲେ ପ୍ରକୃତପକ୍ଷେ ତୃଣମୂଳ ସ୍ତରରେ ତାହା କେତେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ତାହାର ହିସାବ ପ୍ରାୟ କାହାରି ପାଖରେ ନାହିଁ।ଏମିତି ଗାଁ ମାନ ରହିଛି ଯେଉଁଠି ସରକାରଙ୍କ ଯୋଜନା ପହଁଚିବା ବୋଧେ ସାତ ସପନ। ଯେଉଁଠାରେ ଜଣେ ପରେ ଜଣେ କିଡନୀ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ସହିତ ଆଉ କିଛି କିଡନୀ ଆକ୍ରାନ୍ତ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ବରଗଡ଼ ଜିଲା ଅତାବିରା ବ୍ଲକର ଅଧିକାଂଶ ଲୋକ ଗରିବ ଶ୍ରେଣୀର। କୁଳୀ ମଜୁରୀ କରି ନିଜ ପେଟ ପୋଷୁଥିବା ତଥା ପରିବାର ଚଳାଉଥିବା ବେଳେ ଏବେ କିଡନୀ ରୋଗ ରେ ଅମୂଲ୍ୟ ଜୀବନ ନଷ୍ଟ ହୋଇ ଲୋକମାନଙ୍କ ଜୀବନ ଯାପନ ପ୍ରଣାଳୀ କୁ ଆହୁରି ଅସ୍ତବ୍ୟସ୍ତ କରିଦେଇଛି।ଦାରିଦ୍ର୍ୟତା ସାଙ୍ଗକୁ ରୋଗର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସୂକ୍ଷ୍ମ ଭାବରେ ଅନୁଧ୍ୟାନ କଲେ ଜଣା ପଡ଼ିବ ଯେ,ଏହି ଅଞ୍ଚଳରେ କର୍କଟ ରୋଗ ପରେ ଏବେ କିଡନୀ ରୋଗରେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଯାହାର ଏକ ସ୍ପଷ୍ଟ ଉଦାହରଣ ପାଲଟିଛି ଏହି ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ର ବନହର ଗ୍ରାମରେ। ଏହି ଗ୍ରାମର ହରିଜନ ପଡ଼ା ରେ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି କିଡନୀ ରେ ଆକ୍ରାନ୍ତ।
ଏହି ପଡ଼ାର ମାହେନ୍ଦ୍ରି ଲୁହା(୪୫), ସ୍ବାମୀ କୀର୍ତ୍ତନ ଲୁହା(୫୦),ତ୍ରିନାଥ ବାଦି (୪୫),ଗୋବିନ୍ଦ ରଣବିଡା (୫୦),ବିଜୟ ତାଣ୍ଡି(୩୮) ୨୦୨୩ ମସିହାରେ ଓ ଗଉର ରପଡ଼ାର ଯୁବକ ଶ୍ରଦ୍ଧାକର ଥାପା ଗତ ଜୁନ ୨୦୨୪ ରେ ମୃତ୍ୟୁ ବରଣ କରିଛନ୍ତି। ଏପରିକି ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ବି ମିଳି ନାହିଁ। ସେହିପରି ହିର୍ଲିପାଲି ପଞ୍ଚାୟତ ର ବାଗବାହାଲ ଗ୍ରାମରେ ଗତ ତିନି ବର୍ଷ ମଧ୍ୟରେ ୯ ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ଏହି ଗାଆଁ ରେ।ସେମାନେ ହେଲେ ବୃନ୍ଦାବନ ମଲ୍ଲିକ(୩୨),ପାର୍ବତୀ ସୁନା(୩୫),ସୁରେନ୍ଦ୍ର ବିଶ୍ବାଳ (୪୫),କାର୍ତ୍ତିକ ମୁଣ୍ଡା (୫୦), , ମନବୋଧ ମୁଣ୍ଡା (୨୫) ,ସୁରେଶ ସୁନା (୪୫), ନିମାଇଁ କଟୁଆଳ (୩୦), ଗିରିଧାରୀ ବିଶି (୫୦)।
୬୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ଏହି ଗାଆଁ ରେ ପୂର୍ବରୁ ମଧ୍ୟ ଜଗନ୍ନାଥ ମୁଣ୍ଡା ଏହି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି।ବର୍ତ୍ତମାନ ଏହି ଗ୍ରାମର ହୃଷିକେଶ କଠାର (୫୫),ସତ୍ୟବାନ୍ ବିଶ୍ଵାଳ (୪୫), ଯାମିନି ମୁଣ୍ଡା(୬୩) ଓ ଡାକ୍ତର ସୁନା (୫୧), ଏବେବି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେହିପରି ହିର୍ଲିପାଲି ନିକଟରେ ଥିବା ତୂରୀ ପଡ଼ା ରେ ମଧ୍ୟ ୨୦୧୪/୧୫ମସିହାରେ ନିରୁପମା ମଲ୍ଲିକ(୩୫),ମୁକୁନ୍ଦ ପଧାନ(୬୫),ସହଦେବ ମଲ୍ଲିକ (୬୦), ଓ ମଞ୍ଜରୀ ବାଗ (୩୫) ଏହି କିଡନୀ ରୋଗରେ ପ୍ରାଣ ହରାଇଥିବା ବେଳେ ପଡ଼ାର ଅନେକ ଲୋକ ଆଜି ବି ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।
ଏହି ରୋଗ ଏବେ ଅଣାୟତ୍ତ ହୋଇ ଅମୂଲ୍ୟ ଜୀବନ ନଷ୍ଟ ହୋଇ ଚାଲିଛି। ରୋଗର କାରଣ ଦୂଷିତ ପାନୀୟ ଜଳ ବୋଲି କିଡନୀ ଆକ୍ରାନ୍ତ ମାନେ କହନ୍ତି। ବାଗବାହଲ ଗ୍ରାମରେ ମାତ୍ର ଦୁଇଟି ନଳକୁପ ରହିଛି ଯେଉଁଥିରେ ବାହାରୁଥିବା ପାଣିରେ ଲୁହା ଗୁଣ୍ଡ ସହ ଦୂଷିତ ପଦାର୍ଥ ମିଶିରହୁଛି।ଏମିତି ତୁରିପଡ଼ାରେ ମଧ୍ୟ ଥିବା ନଳକୂପ ରେ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି । କିନ୍ତୁ ଅନ୍ୟ କିଛି ସୁବିଧା ନ ଥିବାରୁ ଲୋକେ ବାଧ୍ୟ ହୋଇ ସେଇ ପାଣିକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି। ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ ନଳକୂପ ଖନନ କରୁଛନ୍ତି,ହେଲେ ସେଥି ରେ ବାହାରୁଥିବା ପାଣି ପାନୀୟ ଯୋଗ୍ୟ କି ନୁହେଁ ତାହା ପରୀକ୍ଷା ନିରୀକ୍ଷା ନ କରି ନିଜ କର୍ତ୍ତବ୍ୟରୁ ଓହରି ଯାଉଛନ୍ତି।ଯାହା ଫଳରେ ଆଜି ଏହିଭଳି ରୋଗର ପର୍ଦୂର୍ଭାବ ବଢ଼ି ଚାଲିଛି।
ମୃତକମାନଙ୍କ ବୟସକୁ ଆକଳନ କଲେ ଅଧିକାଂଶ ଲୋକ ୪୦ ରୁ ୫୦ ବର୍ଷ ବୟସର ଅଟନ୍ତି। ଦେଶର ଶ୍ରମ ଶକ୍ତି କମ ରହିଥିବା ବେଳେ ଏମିତି ଉପାର୍ଜନ ବ୍ୟକ୍ତିଙ୍କ ଜୀବନ ଅକାରଣେ ଚାଲିଯାଉଛି । ତଥାପି ପ୍ରଶାସନ,ସ୍ବାସ୍ଥ୍ୟ ବିଭାଗ ସବୁ ଚୁପ୍ ମାରି ବସିରହିଥିବା ସାଧାରଣରେ ପ୍ରଶ୍ନ ଉଠୁଛି। ଏହିପରି ଯଦି ଆଗକୁ ଜାରି ରହେ ତେବେ ସମଗ୍ର ଗ୍ରାମକୁ କିଡନୀ ରୋଗ କବଳିତ କରିନେବ ଏଥିରେ ତିଲେହେଲେ ସନ୍ଦେହ ନାହିଁ। ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଆସୁ ପଦକ୍ଷେପ ନ ନେଲେ ପରିସ୍ଥିତି ଯେ କେତେ ଭୟାବହ ହେବ, ତାନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି।