ନୂଆଦିଲ୍ଲୀ : ଗୋଟିଏ ରିପୋର୍ଟକୁ ଦେଖାଇ କଂଗ୍ରେସ ଦାବି କରିଛି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ୫ କୋଟି ଭୋଟର ବିସଙ୍ଗତି ରହିଛି। ପ୍ରାଥମିକ ଗଣତି ଓ ଚୂଡ଼ାନ୍ତ ଗଣତି ପରେ ୫ କୋଟି ଭୋଟର ମେଳ ଖାଉ ନାହିଁ। ଯଦି ୫ କୋଟି ଭୋଟ ଚୂଡ଼ାନ୍ତ ଗଣତି ପରେ ମେଳ ଖାଉ ଥାଆନ୍ତା, ତା’ହେଲେ ବିରୋଧୀ ମେଣ୍ଟ ଇଣ୍ଡିଆ ଲୋକସଭାର ଅଧିକାଂଶ ଆସନ ଜିତିବାକୁ ସକ୍ଷମ ହୋଇଥାଆନ୍ତା ବୋଲି କଂଗ୍ରେସ ଦାବି କରିଛି।
ବରିଷ୍ଠ କଂଗ୍ରେସ ନେତା ପବନ ଖେଡା ଏକ୍ସରେ କହିଛନ୍ତି ଯେ “ଭୋଟ୍ ଫର୍ ଡେମୋକ୍ରାସି ପକ୍ଷରୁ ‘ଲୋକସଭା ନିର୍ବାଚନ ଆଚରଣ ୨୦୨୪” ଶୀର୍ଷକ ଗୋଟିଏ ରିପୋର୍ଟ କିଛି ଚମକପ୍ରଦ ପ୍ରକାଶ କରିଛି ଯାହା ଆମ ଗଣତନ୍ତ୍ରରେ ଲୋକଙ୍କ ବିଶ୍ୱାସକୁ ହଲାଇ ଦେଇପାରେ।
ରିପୋର୍ଟ ଦାବି କରାଯାଇଛି ଯେ ପ୍ରାରମ୍ଭିକ ଭୋଟ୍ ଗଣିତ ଓ ଚୂଡ଼ାନ୍ତ ଭୋଟ୍ ଗଣିତ ମଧ୍ୟରେ ପ୍ରାୟ ୫ କୋଟି ଭୋଟର ଅସଙ୍ଗତି ରହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୧୫ଟି ରାଜ୍ୟରେ ସର୍ବନିମ୍ନ ୭୯ ଟି ଆସନ ଏନଡିଏ / ବିଜେପି ଭୋଟ୍ ବୃଦ୍ଧି ଦ୍ୱାରା ଜିତିଥାଇ ପାରେ, ଯଦି ଏହା ସତ୍ୟ ହୁଏ, ତେବେ ସଂସଦରେ ଇଣ୍ଡିଆ ମେଣ୍ଟ ସର୍ବାଧିକ ଆସନ ଜିତି ଥାଆନ୍ତା ବୋଲି ଦର୍ଶାଯାଇଛି।
୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂ ପ୍ରତିଶତକୁ ଇସିଆଇଙ୍କ ପକ୍ଷରୁ ବିଳିମ୍ବର ଜାରି କରାଯିବା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଯଦି ରିପୋର୍ଟ ଭୁଲ ଅଟେ, ତେବେ ଇସିଆ ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଏଥିସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକଙ୍କ ଦୁର୍ବଳ ବିଶ୍ୱାସକୁ ପୁନଃ ସ୍ଥାପନ କରନ୍ତୁ।
କିନ୍ତୁ ଯଦି ରିପୋର୍ଟରେ ଯାହା କୁହାଯାଇଛି ତାହା ସତ, ତା’ହେଲେ ଭାରତୀୟ ଗଣତନ୍ତ୍ରର ରାଜନୀତିକ ଇତିହାସ ଗୋଟିଏ ଟର୍ଣ୍ଣିଂ ପଏଣ୍ଟର ମୁଖସାଖୀ ପାଲଟିବ।”
ଭୋଟ ଫର ଡେମୋକ୍ରାସି ତା’ ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଉଜାଗର କରିଛି। ପୋଲିଂ ଓ ଇସିଆଇ ଜାରି କରିଥିବା ଭୋଟିଂ ହାର ମଧ୍ୟରେ ପ୍ରାୟ ୫ କୋଟି ଭୋଟର ଅସଙ୍ଗତି ରହିଛି। ଇସିଆଇର ଭୋଟିଂ ହାର ଓ ପ୍ରକୃତ ଭୋଟିଂ ହାର ମଧ୍ୟରେ 4,65,46,885 ଭୋଟର ପାର୍ଥକ୍ୟ ରହିଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବ ନିର୍ବାଚନରେ ଆନୁମାନିକ ଭୋଟରଙ୍କ ସଂଖ୍ୟା ଓ ଚୂଡ଼ାନ୍ତ ଭୋଟ ହାର ମଧ୍ୟରେ ୧% ପାର୍ଥକ୍ୟ ରହୁଥିଲା। କିନ୍ତୁ ୨୦୨୪ରେ ମୋଟ ୭ଟି ପର୍ଯ୍ୟାୟରେ ୩.୨%ରୁ ୬.୩୨% ପାର୍ଥକ୍ୟ ରହିଛି। ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଯଥାକ୍ରମେ ୧୨.୫୪% ଓ ୧୨.୪୮% ଭୋଟିଂ ହାର ଅଧିକ ଦର୍ଶାଯାଇଛି।
ଭୋଟ୍ ଫର୍ ଡେମୋକ୍ରାସି ରିପୋର୍ଟରେ କୁହାଯାଇଛି ଯେ ୧୮ତମ ଲୋକସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି ବୃଦ୍ଧି ଏତେ ବଡ଼ ଥିଲା ଯେ ୧୫ଟି ରାଜ୍ୟର ୭୯ଟି ନିର୍ବାଚନମଣ୍ଡଳୀରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ର ବିଜୟ ବ୍ୟବଧାନରୁ ଅଧିକ।
ଓଡ଼ିଶାରେ ୧୮, ମହାରାଷ୍ଟ୍ରରେ ୧୧, ପଶ୍ଚିମବଙ୍ଗରେ ୧୦, ଆନ୍ଧ୍ରପ୍ରଦେଶରେ ୭, କର୍ଣ୍ଣାଟକାରେ ୬ଟି, ଛତିଶଗଡ଼, ରାଜସ୍ଥାନରେ ୫ଟି, ବିହାର, ହରିୟାଣା, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ୩ଟି ଲେଖାଏ, ଆସାମରେ ୨ଟି, ଅରୁଣାଚଳ ପ୍ରଦେଶ, ଗୁଜୁରାଟ ଓ କେରଳର ଗୋଟିଏ ଲେଖାଏ ଆସନରେ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି।