Images

ଯୁବପିଢି ଓ ମଧ୍ୟବିତ୍ତଙ୍କୁ ନୂତନ ଶକ୍ତି ପ୍ରଦାନ କରିବ ବଜେଟ୍‌ – ମୋଦୀ, କଂଗ୍ରେସ ଇସ୍ତାହାରର ନକଲ – ଚିଦାମ୍ବରମ୍

National & International

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପନ କରଛନ୍ତି। ବଜେଟରେ କରାଯାଇଥିବା ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି, ଏହି ବଜେଟ୍ ଦେଶକୁ ସମୃଦ୍ଧି ଆଡ଼କୁ ନେଇଯିବ ଏବଂ ଏହି ବଜେଟରେ ସମାଜର ସବୁ ବର୍ଗଙ୍କ ପ୍ରତି ଗୁରୁତ୍ଵ ଦିଆଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘‘ଏହା ଶକ୍ତି ପ୍ରଦାନକାରୀ ବଜେଟ୍‌। ଏହି ବଜେଟ୍ କୃଷକ ଏବଂ ଯୁବବର୍ଗଙ୍କୁ ପ୍ରଗତି ପଥରେ ନେଇଯିବ। ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ଏହା ସେମାନଙ୍କ ଅର୍ଥନୈତିକ ପ୍ରଗତିକୁ ଜାରି ରଖିବାର ବଜେଟ୍‌। ଏହା ଯୁବବର୍ଗଙ୍କୁ ଅଗଣିତ ସୁଯୋଗ ଦେଉଥିବା ବଜେଟ୍‌। ଏହି ବଜେଟ୍ ମଧ୍ୟବିତ୍ତଙ୍କୁ ନୂତନ ଶକ୍ତି ପ୍ରଦାନ କରିବ। ଆଦିବାସୀ ସମାଜ, ଦଳିତ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରିବାକୁ ମଜଭୁତ ଯୋଜନା ସହ ଆସିଛି ଏହି ବଜେଟ୍‌। ଏହି ବଜେଟ୍ ମହିଳାମାନଙ୍କର ଆର୍ଥିକ ଭାଗିଦାରୀକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ।’’
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘‘ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି କରିବା ଆମ ସରକାରଙ୍କ ପରିଚୟ। ଆଜିର ବଜେଟ୍ ଏହାକୁ ଆହୁରି ମଜବୁତ କରିବ। ଏହି ବଜେଟ୍‌ରେ ସରକାର ନିଯୁକ୍ତି ସହ ଜଡ଼ିତ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଜୀବନରେ ପ୍ରଥମ ଚାକିରୀ ପାଇଥିବା ଯୁବକ ଯୁବତୀଙ୍କୁ ପ୍ରଥମ ଦରମା ଆମ ସରକାର ଦେବେ। ଯୁବପିଢିଙ୍କ ପାଇଁ ସମ୍ଭାବନାର ନୂତନ ଦ୍ଵାରା ଖୋଲିବ ଏହି ବଜେଟ୍‌।’’
ଏବେ ଏହାକୁ ନେଇ ବିରୋଧୀମାନେ ମଧ୍ୟ ବଜେଟ୍ ଉପରେ ପ୍ରତିକ୍ରିୟା ଆରମ୍ଭ କରିଛନ୍ତି। ସଂସଦର ସର୍ବବୃହତ ବିରୋଧୀ ଦଳ କଂଗ୍ରେସ ଦାବି କରିଛି ଯେ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ହେଉଛି କଂଗ୍ରେସର ନିର୍ବାଚନୀ ଇସ୍ତାହାରର ନକଲ।
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍ ୨୦୨୪ ବଜେଟ୍ ସମ୍ବନ୍ଧରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ଟୁଇଟ୍ ଲେଖି ସେ କହିଛନ୍ତି ଯେ ଲୋକସଭା ନିର୍ବାଚନର ଫଳାଫଳ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ମନିଫେଷ୍ଟୋ ପଢ଼ିଥିବାରୁ ମୁଁ କୃତଜ୍ଞ। ମୁଁ ବହୁତ ଖୁସି ଯେ ସେ ଏମ୍ପ୍ଲୟମେଣ୍ଟ୍ ଲିଙ୍କ୍ ଇନସେଣ୍ଟିଭ୍ (ଇଏଲଆଇ) ଗ୍ରହଣ ବିଷୟରେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ମନିଫେଷ୍ଟୋ ର ପୃଷ୍ଠା ୩୦ ରେ ଏହା ଲେଖାଯାଇଛି।
ପି ଚିଦାମ୍ବରମ୍ ଆହୁରି ଲେଖିଛନ୍ତି ଯେ ମୁଁ ଅତ୍ୟନ୍ତ ଖୁସି ଯେ ଅର୍ଥମନ୍ତ୍ରୀ କଂଗ୍ରେସ ମନିଫେଷ୍ଟୋର ପୃଷ୍ଠା ନମ୍ବର ୧୧ରେ ଲେଖାଯାଇଥିବା ବଜେଟରେ ଆପ୍ରେଣ୍ଟିସିପ୍ ସ୍କିମ୍ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କଂଗ୍ରେସ ମନିଫେଷ୍ଟୋରୁ ଆଉ କିଛି ଜିନିଷ ନକଲ କରିଥିଲେ, ଭଲ ହୋଇଥାନ୍ତା। ମୁଁ ଏହା ସହ ଜଡିତ ଅଧିକ ସୂଚନା ଶୀଘ୍ର ଅଂଶୀଦାର କରିବି।
୨୦୨୪ ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ମହରାସଚିବ ଜୟରାମ ରମେଶ କହିଛନ୍ତି ଯେ ୧୦ ବର୍ଷ ମନା କରିବା ପରେ ବେରୋଜଗାର ଏକ ବଡ ସମସ୍ୟା ବୋଲି କେନ୍ଦ୍ର ସରକାର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ବିଜେପି ଏହି ସମସ୍ୟାକୁ ନିଜର ମନିଫେଷ୍ଟୋରେ ଅନ୍ତର୍ଭୁକ୍ତ କରି ନାହିଁ, କିନ୍ତୁ ବଜେଟରୁ ଏହା ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର ହୃଦୟଙ୍ଗମ କରିଛନ୍ତି ଯେ ବେକାରୀ ସମସ୍ୟା ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ।
ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ବଜେଟରେ ଅନେକ ଜିନିଷ ହଜିଯାଇଛି। ମନରେଗାବିଷୟରେ କୌଣସି ଉଲ୍ଲେଖ ନାହିଁ। ଦେଶର ୪୦ପ୍ରତିଶତ ଗରିବ ଜନସଂଖ୍ୟାର ଆୟ ବୃଦ୍ଧି ଉପରେ କୌଣସି ଗୁରୁତ୍ୱ ଦିଆଯାଇ ନାହିଁ। ଦେଶରେ ଥିବା ଆର୍ଥିକ ଅସମାନତା ଉପରେ ଅଧିକ ଧ୍ୟାନ ଦିଆଯାଇ ନାହିଁ।
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପ୍ରକଳ୍ପ ମିଳିଛି, ଏହା ଏକ ଭଲ କଥା, କିନ୍ତୁ ଦେଶକୁ ସର୍ବାଧିକ ପ୍ରଧାନମନ୍ତ୍ରୀ ହୋଇଥିବା ଉତ୍ତରପ୍ରଦେଶର କୃଷକମାନଙ୍କ ପାଇଁ କୌଣସି ବଡ଼ ଘୋଷଣା ନାହିଁ।
ବଜେଟରେ ଆଲୋଚନା ବେଳେ ଏସପି ସାଂସଦ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ କହିଛନ୍ତି ମହିଳାଙ୍କ ସୁରକ୍ଷା ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେଉଛି ସବୁଠାରୁ ବଡ ପ୍ରସଙ୍ଗ, ଯାହା ବଜେଟରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ।