Images

ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବିଜେଡି ସୁପ୍ରିମୋ: ଅମର ଶତପଥୀ

State

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ଯେମିତି ବର୍ତ୍ତମାନ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି, ପୂର୍ବରୁ ଯଦି ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ। ବିଳମ୍ବରେ ହେଉ ପଛେ ଦଳର ସୁପ୍ରିମୋ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଦଳରେ କିଛି ବ୍ୟତିକ୍ରମ ହୋଇଥିଲା ଯାହା କି ନିର୍ବାଚନରେ ପ୍ରସଙ୍ଗ ହେଲା। ଆଜି ସେ ସ୍ଥିତି ନାହିଁ। ମୁଁ ଭାବୁଛି ଭଲ ଦିନ ଓଡ଼ିଶା ପାଇଁ ଆସୁଛି। ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଜାୟ ରହିବା ଦରକାର।
ଶ୍ରୀ ଶତପଥୀ କହିଛନ୍ତି ଯେ, ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରହିବା ଉଚିତ। ଦଳର ସୁପ୍ରିମୋ ବର୍ତ୍ତମାନ ବିଧାୟକମାନଙ୍କୁ ଯେଉଁ ଦାୟିତ୍ଵ ବଣ୍ଟନର ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଓଡ଼ିଶାରେ ଚଳିତ ଥର ନୂଆନୂଆ ପରମ୍ପରା ବି ଆରମ୍ଭ ହୋଇଛି। ଯେପରିକି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ବିରୋଧୀ ଦଳ ନେତା ଆସିବା ହେଉ କି ବିରୋଧୀ ଦଳର ନେତାଙ୍କ ଚିଠିର ଉତ୍ତର ତୁରନ୍ତ ମିଳିବା। ଏହା ଗଣତନ୍ତ୍ର ବ୍ୟବସ୍ଥାକୁ ସୁସ୍ଥ ଓ ସୁଦୃଢ କରିଥାଏ। ଏହା ଆଗକୁ ବି ବଜାୟ ରହିବାର ଆବଶ୍ୟକ।
ସୂଚନାଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟ ବିରୋଧୀ ଦଳ ‘ବିଜୁ ଜନତା ଦଳ’ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ଏଥି ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଛନ୍ତି । ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟ୍ଟନାୟକଙ୍କ ଯୋଜନା କରିଛନ୍ତି। ବିଜେଡି ବିଧାୟକ ଓଡିଶାବାସୀଙ୍କ ସ୍ୱରକୁ ବିଧାନସଭାରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବେ। ଏନେଇ ୫୦ ଜଣ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି।