Onn 3

ଅସୁସ୍ଥ ବାପା ଓ ମା’ଙ୍କୁ ଧରି ପୁଲିସ ଅପେକ୍ଷାରେ ବସିଛି

National & International

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆରେ ବାପା, ମା’ ସ୍ତ୍ରୀଙ୍କ ସହିତ ବସିଥିବାର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଏକ୍ସରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲେଖିଛନ୍ତି, ବାପା, ମା’ ଓ ସ୍ତ୍ରୀଙ୍କ ସହିତ ବସି ମୁଁ ଦିଲ୍ଲୀ ପୁଲିସର ଅପେକ୍ଷା କରିଛି। କାରଣ ପୁଲିସ ମୋର ବାପା ଓ ମା’ଙ୍କୁ ପଚରାଉଚରା ପାଇଁ ସମୟ ମାଗିଥିଲା। କିନ୍ତୁ ସେ ଆସିବେ କି ନାହିଁ ଏଯାଏଁ ମୁଁ ଜାଣିନାହିଁ।
ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଦିଲ୍ଲୀ ପୁଲିସର ଏକ ଟିମ ଆଜି ସକାଳ ୧୧.୩୦ ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇ ତାଙ୍କ ବାପା ଓ ମା’ଙ୍କୁ ପଚରାଉଚରା କରିଥାଆନ୍ତା। କିନ୍ତୁ ନିଶ୍ଚିତ ହୋଇଥିବା ସମୟ ପୂର୍ବରୁ ଦିଲ୍ଲୀ ପୁଲିସ ଆଜି କେଜ୍ରିୱାଲଙ୍କ ବାପା ଓ ମା’ଙ୍କୁ ପଚରାଉଚରା କରିବ ନାହିଁ ବୋଲି ମନା କରି ଦେଇଥିଲା।
ପୁଲିସ କେଉଁ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ବାପା ଓ ମା’ଙ୍କୁ ପଚରାଉଚରା କରିବାର ଥିବା ଯୋଜନାକୁ ବାତିଲ କରିଛି ତାହା ସ୍ପଷ୍ଟ କରି ନାହିଁ। ଏଥିସହିତ ପୁଲିସ କେଉଁଦିନ ଓ କେତେବେଳେ କେଜ୍ରିୱାଲଙ୍କ ବାପା ଓ ମା’ଙ୍କୁ ପଚରାଉଚରା କରିବ ସେ ବିଷୟରେ ବି କୌଣସି ସୂଚନା ଦେଇନାହିଁ।
ତେବେ ସ୍ବାତୀ ମାଲିୱାଲ ମୁଖ୍ୟମନ୍ତ୍ରୀଙ୍କ ସହାୟକ ବିଭବ କୁମାର ବିରୋଧରେ ମାଡ଼ମାରିବା ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଘ‌ରେ ଥିବା ସମସ୍ତ ସଦସ୍ୟଙ୍କ ବୟାନ ରେକର୍ଡ କରିବାକୁ ସ୍ଥିର କରିଛି।
ନିକଟରେ ଅରବିନ୍ଦ କେଜ୍ରିୱାଲ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ,‘ ଦିଲ୍ଲୀ ପୁଲିସ ମୋର ବୁଢ଼ା ଓ ଅସୁସ୍ଥ ମା’ ଓ ବାପାଙ୍କୁ ପଚରାଉଚରା କରିବ।’