Bjp 1713456665

ଇନ୍ଦିରା ଗାନ୍ଧିଙ୍କ ଭଳି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଅସିଦ୍ଧ ହୋଇପାରେ, ଫାଇଭ-ଟିରେ ୪୦ହଜାର କୋଟିର ଦୁର୍ନୀତି: ବିଜେପି

State

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବିଜେଡି ସପକ୍ଷରେ ଖୁଲମଖୁଲା ନିର୍ବାଚନ କାର୍ଯ୍ୟ ଜାରି ରଖିଛନ୍ତି । ୧୯୭୧ ମସିହାରେ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତକାଳୀନ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରୁଥିବାର ପ୍ରମାଣିତ ହେବାରୁ କୋର୍ଟ ସେତେବେଳେ ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ଏବେ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବିଜେଡି ସପକ୍ଷରେ ନିର୍ବାଚନୀ କାର୍ଯ୍ୟ କରୁଥିବାରୁ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଆଗାମୀ ଦିନରେ ଅସିଦ୍ଧ ହୋଇପାରେ ବୋଲି ବିଜେପି ଆଶଙ୍କା ବ୍ୟକ୍ତ କରିଛି । ଫାଇଭ-ଟିକୁ ନିର୍ବାଚନ କମିଶନ ଅବୈଧ ଘୋଷଣା କରିଥିବାରୁ ଏହି ରାଜନୀତିକ କାର୍ଯ୍ୟକ୍ରମରେ ୪୦ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆଇପିଏସ୍ ଡିଏସ କୁଟ୍ଟେଙ୍କ ବିରୁଦ୍ଧରେ ବିଜେପି ପୂର୍ବରୁ ୨ଥର ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ଆଜି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି ଯେ, ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତ୍‌କାଳୀନ ପ୍ରଶାସନିକ ଅଧିକାରୀମାନେ କାମ କରିବା ପ୍ରମାଣିତ ହେବା କାରଣରୁ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ସେତେବେଳେ କୋର୍ଟ ଅସିଦ୍ଧ ଘୋଷଣା କରିଥିଲେ । ଯେଉଁଥିପାଇଁ ପରବର୍ତୀ ସମୟରେ ଦେଶରେ ଗଣତନ୍ତ୍ରର କଳାଦିନ ଭାବରେ ପରିଚିତ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଏବେ ଓଡ଼ିଶାରେ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୁଲମଖୁଲା ବିଜୁ ଜନତା ଦଳ ପାଇଁ କାମ କରୁଛି । ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଯେଉଁ କାରଣ ପାଇଁ ଅସିଦ୍ଧ ହୋଇଥିଲା ସେହି ସମାନ କାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଆଗାମୀ ଦିନରେ ଅସିଦ୍ଧ ହେବାର ସମ୍ଭାବନା ରହିଛି ।
ସେ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାର ନିଜର ସବୁଠୁ ବଡ଼ ଟ୍ରମ୍ପ କାର୍ଡ ଭାବେ ଫାଇଭ-ଟିକୁ ଉପଯୋଗ କରୁଥିଲା । ମାତ୍ର ନିର୍ବାଚନ କମିଶନ ଏହି ଫାଇଭ-ଟିକୁ ଅବୈଧ ଘୋଷଣା କରିଥିବାରୁ ଏହା ଏକ ରାଜନୀତିକ କାର୍ଯ୍ୟକ୍ରମ ଥିଲା ବୋଲି ପ୍ରମାଣିତ ହୋଇଛି । ଯେହେତୁ ଫାଇଭ-ଟି କେବଳ ବିଜୁ ଜନତା ଦଳର ଏକ ରାଜନୈତିକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଥିଲା ତେଣୁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା ୫ଶହ କୋଟି ଟଙ୍କା ବିଜୁ ଜନତା ଦଳଠାରୁ ଭରଣା କରାଯାଉ ବୋଲି ବିଜେପି ଦାବି କରିଛି । ଏହାସହିତ ଫାଇଭ-ଟିର ଆଳ ଦେଖାଇ ସ୍କୁଲକାନ୍ଥରେ ରଙ୍ଗମାରି ୫ହଜାର କୋଟି, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ୪ହଜାର କୋଟି, ଲକ୍ଷ୍ମୀବସ୍ ଯୋଜନାରେ ୩ହଜାର କୋଟି, ମାଣ୍ଡିଆ ମିଶନରେ ୨୨ଶହ କୋଟି ଭଳି ଏଭଳି ଅନେକ ଦୁର୍ନୀତିରେ ପାଖାପାଖି ୪୦ହଜାର କୋଟି ଟଙ୍କାର ଘୋଟାଲା ହୋଇଛି।
ଖଣି, ଚିଟ୍‌ଫଣ୍ଡ ଦୁର୍ନୀତି ପରେ ଫାଇଭ-ଟି ହେଉଛି ଆଉ ଏକ ବଡ଼ ଦୁର୍ନୀତି । ଫାଇଭ-ଟି ଆଳରେ ମୁଖ୍ୟମନ୍ତ୍ରୀ ସରପଂଚଠୁ ସାଂସଦ ପର୍ଯ୍ୟନ୍ତ ସମସ୍ତ ଜନପ୍ରତିନିଧିମାନଙ୍କର କ୍ଷମତାକୁ ହଡ଼ପ କରି କିଛି ଅଣଓଡ଼ିଆ ଅଧିକାରୀଙ୍କ ହାତରେ ଦେଇଥିଲେ । ନିର୍ବାଚନ କମିଶନ ତାକୁ ଅସିଦ୍ଧ ଘୋଷଣା କରିବା ପରେ ରାଜ୍ୟ ସରକାର ସମସ୍ତ ସରକାରୀ ୱେବସାଇଟରୁ ଫାଇଭ-ଟିକୁ ହଟାଇବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଫାଇଭ-ଟି ଅଧ୍ୟକ୍ଷ ବୋଲାଉଥିବା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ବିଦା କରିସାରିଛନ୍ତି । ଯେଉଁ ଫାଇଭ-ଟିର ପ୍ରଚାର ପ୍ରସାରରେ ବିଜେଡି ତାର ସମସ୍ତ କଳବଳ ଲଗାଇ ଦେଇଥିଲା ସେହି ଫାଇଭ-ଟି ଆଜି ସବୁଠି ନିଖୋଜ । ମୁଖ୍ୟମନ୍ତ୍ରୀ ଫାଇଭ-ଟି ଭଳି ଏକ ଅଗଣତାନ୍ତ୍ରିକ ଓ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଆରମ୍ଭ କରିଥିବାରୁ ରାଜ୍ୟବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ କମିଶନ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଦା କରିସାରିଛନ୍ତି କିନ୍ତୁ ଏବେବି ସେଠାରେ ଗୋପବନ୍ଧୁ ଦାଶ ନାମକ ଜଣେ ଅଧିକାରୀ କାର୍ଯ୍ୟ କରୁଛନ୍ତି । ରାଜନୀତିରେ ସିଧାସଳଖ ଯୋଗ ଦେଇସାରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେ ହେଉଛନ୍ତି ଦ୍ୱିତୀୟ ପ୍ରଶାସନିକ ଅଧିକାରୀ । ବିଜେଡି ପାଇଁ ସେ ଗୋପାଳପୁରରେ ପ୍ରଚାର କରୁଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଗୋପବନ୍ଧୁ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେବେ ବିଦା କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି।
ଉଲ୍ଲେଖଯୋଗ୍ୟ, ବିଜେପି ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଆଇପିଏସ୍ ଡିଏସ୍ କୁଟ୍ଟେ ବିଜେଡି ସପକ୍ଷରେ ଧମକଚମକ ଦେଉଥିବା ନେଇ ନିର୍ବାଚନ କମିଶନଙ୍କୁ ଲିଖିତ ଭାବେ ଦୁଇଥର ଅଭିଯୋଗ କରିଥିଲା । ଏପରିକି ତାଙ୍କୁ ରାଜ୍ୟ ବାହାରକୁ ବଦଳି ପାଇଁ ଦାବି କରିଥିଲା। ମାତ୍ର ଏପର୍ଯ୍ୟନ୍ତ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।