Onn 3

ନିର୍ବାଚନରେ ହାରିବ ଋଷି ସୁନକଙ୍କ ଦଳ : ସର୍ଭେ

National & International

ନୂଆଦିଲ୍ଲୀ: ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଦଳ କଂଜରଭେଟିଭ ପାର୍ଟିକୁ ଆଗାମୀ ନିର୍ବାଚନରେ ବଡ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ । ବ୍ରିଟେନରେ କରାଯାଇଥିବା ଏକ ଜନମତ ସର୍ଭେରେ ଏଭଳି ଦାବି କରାଯାଇଛି। ଏହି ସର୍ଭେ ୧୮ ହଜାର ଲୋକଙ୍କ ନମୁନା ଉପରେ ଆଧାରିତ । ଏହି ସର୍ଭେରେ କୁହାଯାଇଛି ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟି ଆଗାମୀ ନିର୍ବାଚନରେ ହାରି କ୍ଷମତାଚ୍ୟୁତ ହେବ । ବିରୋଧୀ ଲେବର ପାର୍ଟି କୁ ୪୦୩ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ସୂଚନାଯୋଗ୍ୟ, ବ୍ରିଟେନ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ୩୨୬ଟି ଆସନ ଜିତିବାକୁ ହେବ ।
ୟୁଗଭ୍ ଦ୍ୱାରା ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଟୋରି ( କଂଜରଭେଟିଭ ଦଳ) ପରାଜୟର ପୂର୍ବାନୁମାନ କରାଯାଇଛି। ଟୋରିର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍ ମେଜରଙ୍କ ୧୯୯୭ ଶାସନକାଳ ତୁଳନାରେ ଆଗାମୀ ନିର୍ବାଚନରେ ଟୋରିମାନେ ଅଧିକ ଖରାପ ପରାଜୟର ସମ୍ମୁଖୀନ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ସେହି ସମୟରେ ଟୋନି ବ୍ଲେୟାରଙ୍କ ନେତୃତ୍ୱାଧୀନ ଲେବର ପାର୍ଟି ବହୁମତ ହାସଲ କରିଥିଲା ଓ ଟୋରି ଦଳ ମାତ୍ର ୧୬୫ ଟି ଆସନ ଜିତିପାରିଥିଲା ।
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଋଷି ସୁନକ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ନିବେଦନ କରି ଚେତାବନୀ ଦେଇଥିଲେ ଯେ କଠୋରପନ୍ଥୀ ଶକ୍ତିମାନେ ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି ଏବଂ ଏହାର ବହୁଧାର୍ମିକ ପରିଚୟକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି।