Bjd 1711025440

ମନ୍ତ୍ରୀ ଢୋଲକିଆଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି

State

ନୂଆପଡ଼ା : ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ କିଏ ହେବେ ବିଜେଡି ପ୍ରାର୍ଥୀ? ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନା ଆଉ କିଏ? ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ହେଲେ ତା’ପୂର୍ବରୁ ଦମ୍‌ ଦେଖାଇବାରେ ବିଜେଡିର ଦୁଇ ଗୋଷ୍ଠୀ। ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ର। ଗତ ୧୬ ତାରିଖରେ ଶ୍ରୀ ମିଶ୍ର ଓ ତାଙ୍କ ସମର୍ଥକ ବିଶାଳ ଶୋଭାଯାତ୍ରା କରି ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ମାଳ ମାଳ ଦୁର୍ନୀତି ଅଭିଯୋଗ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଢୋଲକିଆଙ୍କ ସମର୍ଥକ ଆସନ୍ତାକାଲି ଦମ୍‌ ଦେଖାଇବା ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ଯାହାକୁ ନେଇ ଅଡୁଆ ସ୍ଥିତିରେ ବିଜେଡି ମୁଖିଆ।
ଗତ ୧୬ ତାରିଖରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇଥିଲେ ଶତାଧିକ ବିଜେଡି କର୍ମୀ। ଖରିଆର ରୋଡ୍‌ରୁ ବାହାରିଥିବା ବିଶାଳ ବାଇକ୍‌ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ। ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ‘ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହଟାଅ, ନୂଆପଡ଼ା ବଞ୍ଚାଅ’ ନାରା ଦେଇଥିଲେ। ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ବିରୋଧରେ ଥିବା ଦୁର୍ନୀତିର ତଦନ୍ତ ସିବିଆଇ, ଭିଜିଲାନ୍ସ ଓ ଇଡି ଦ୍ୱାରା କରାଯାଉ ବୋଲି ମନୋଜ କୁମାର ମିଶ୍ରଙ୍କ ସମର୍ଥକମାନେ ଦାବି କରିଥିଲେ।
ସେଦିନ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପରେ ମନୋଜ କୁମାର ମିଶ୍ର ଗଣମାଧ୍ୟମକୁ କହିଥିଲେ, ମନ୍ତ୍ରୀ ବହୁ ଦୁର୍ନୀତି କରିଛନ୍ତି। ତା’ର ତଦନ୍ତ କରାଯାଉ। ବିଜେଡି ଓ ଆମ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ବଞ୍ଚାଇବା ପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇଛୁ। ଏଥିରେ ସମସ୍ତେ ସାମିଲ୍‌ ହୋଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରୀ ମିଶ୍ର କହିଥିଲେ।
ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ର ରଣହୁଙ୍କାର ଦେବାର ୩ ଦିନ ପରେ ମୁହଁ ଖୋଲିଥିଲେ ମନ୍ତ୍ରୀ ଢୋଲକିଆ ଗୋଷ୍ଠୀ। ସାମ୍ୱାଦିକ ସମ୍ମିଳନୀ କରି ଜିଲ୍ଲା ସଭାପତି, ଜିଲ୍ଲା ଉପସଭାପତି, ରାଜ୍ୟ ସଂପାଦକ ଓ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ବିରୋଧୀଙ୍କୁ ଦମ୍‌ ଦେଖାଇବା ପାଇଁ ଅସନ୍ତାକାଲି(ଶୁକ୍ରବାର) ବିଶାଳ ଶୋଭାଯାତ୍ରା କରିବେ ଢୋଲକିଆଙ୍କ ସମର୍ଥକ।
ନୂଆପଡ଼ାରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳ ନେଇ ମୁହଁ ଖୋଲିଛନ୍ତି ରାଜେନ୍ଦ୍ର ପ୍ରସାଦ ଢୋଲକିଆ। ସେ କହିଛନ୍ତି, ବିଦ୍ରୋହୀ ବିଜେଡି ପଦାଧିକାରୀମାନେ ଟିକେଟ ଆଶାୟୀ ଥିଲେ। ଏବେ ସେମାନେ ବିଜେପି ଓ କଂଗ୍ରେସ ଦ୍ୱାରା ପରିଚାଳିତ ହେଉଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପଦାଧିକାରୀକୁ ଜଣାଇ ଦିଆଯାଇଛି ବୋଲି ଢୋଲକିଆ କହିଛନ୍ତି।