Image 2024 03 19t110349.002

ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗିଲେ ଗାଡ଼ି ଜବତ ସହ ରଦ୍ଦ ହେବ ଡିଏଲ୍‌

State

ଭୁବନେଶ୍ବର: ଏଣିକି ଆଉ ଟ୍ରାଫିକ୍‌ ସିଗନାଲ୍ ଡେଇଁ ଯାଇପରିବେନି ଅମାନିଆ ଡ୍ରାଇଭର । କଡ଼ା କଡ଼ି ହେଲା ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଫାଇନ ଗଣିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ମଧ୍ୟ କରାଯିବ । ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୋଲିସ ।

ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି କ୍ରମରେ ଅଭ୍ୟାସଗତ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ।

ଟ୍ରାଫିକ ନିୟମ ଭାଙ୍ଗିଲେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେବା ସହ ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ । ଡ୍ରାଇଭର ମଧ୍ୟ ଗିରଫ ହୋଇପାରନ୍ତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଡିସିପି ।

ଏନେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସତର୍କ କରାଯାଇଛି । ଟ୍ରାଫିକ୍ ପୋଷ୍ଟରେ ପୋଲିସ ନଥିବା ସମୟରେ ମଧ୍ୟ ଯଦି କେହି ନିୟମ ଭଙ୍ଗ କରନ୍ତି ତେବେ କ୍ୟାମେରା ଦେଖି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଦ ପିଇ ଗାଡ଼ି ଚଲାଉଥିଲେ, ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ ଏବଂ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି ।

ପ୍ରଥମେ ଏହି ନିୟମକୁ ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ କଡ଼ାକଡ଼ି କରାଯାଇଛି । ପରେ ଏହାକୁ ସମଗ୍ର ରାଜଧାନୀରେ ଲାଗୁ କରାଯିବ ।