Onn 3

କନ୍ଧମାଳରେ ମେଗା ନିଯୁକ୍ତି ମେଳା ଆୟୋଜିତ, ଯୋଗ ଦେଲେ ୨୦ ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ

State

mega-job-fair

କନ୍ଧମାଳ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସଫଳତାର ସହ ମେଗା ନିଯୁକ୍ତି ମେଳା ଆୟୋଜିତ ହୋଇଛି । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଛି । ଏଥିରେ କନ୍ଧମାଳ ଜିଲ୍ଲା ଓ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଯୋଗ ଦେଇଥିଲେ। ମୋଟ ୧୩ ହଜାର ୫ଶହ ପ୍ରାର୍ଥୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ଅଫର ପାଇଥିବା ଓଡ଼ିଶାର ବିଭିନ୍ନ କମ୍ପାନୀ ୩ହଜାର ୫ଶହ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି । ପ୍ରତି ବ୍ଲକରୁ ସେମାନଙ୍କୁ ଆଣିବା ପାଇଁ ୪ଶହ ସ୍ୱତନ୍ତ୍ର ବସ୍ ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କ ମାସିକ ବେତନ ସର୍ବନିମ୍ନ ୧୨ ହଜାର ଟଙ୍କା ଥିବାବେଳେ ସର୍ବାଧିକ ବେତନ ୩୫ ହଜାର ଟଙ୍କା ଦିଆଯିବ । ଏହା ସହିତ କମ୍ପାନୀ ପକ୍ଷରୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ସକାଳ ୮ଟାରୁ ସମସ୍ତେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିଥିଲେ । ଓଡ଼ିଶାର ୪୦ଟି କମ୍ପାନୀ ସମେତ ସମଗ୍ର ଦେଶରୁ ୧୨୦ଟି କମ୍ପାନୀ ଓ ଶିଳ୍ପ ସଂସ୍ଥା ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ । ସେମାନଙ୍କ ପାଇଁ ୧୨୦ଟି ଷ୍ଟଲ୍ ଖୋଲାଯାଇ ପ୍ରାର୍ଥୀ ଚୟନର ବନ୍ଦୋବସ୍ତ କରାଯାଇଥିଲା । ବିଭିନ୍ନ ବ୍ଲକ୍ ରେ ୧୨ହଜାର ପଞ୍ଜୀକରଣ ହୋଇଥିବା ବେଳେ ସ୍ପଟ ପଞ୍ଜୀକରଣ ଓ ଅନ୍ୟାନ୍ୟ ପଞ୍ଜୀକରଣ ମିଶାଇ ପ୍ରାୟ ୨୦ ହଜାର ପଞ୍ଜୀକରଣ ହୋଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା- ନବୀନ ଓଡ଼ିଶା ଲକ୍ଷ୍ୟର ଏହା ଏକ ଛୋଟ ପ୍ରୟାସ ବୋଲି ଯୁବକଯୁବତୀଙ୍କୁ ଉଦବୋଧନ କହିଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ । ଯୁବକଯୁବତୀମାନେ ଶିକ୍ଷିତ, ସଶକ୍ତ ହୋଇ ରୋଜଗାରକ୍ଷମ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି ତାହା ଏଠାରେ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି । ସଫଳ ଆୟୋଜନ ପଛରେ ଜିଲ୍ଲା ପ୍ରଶାସନ ଓ କିଟ୍ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଡ. ସାମନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନିର୍ବାଚନ ସମୟରେ କନ୍ଧମାଳବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନର ବିକାଶ ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ଡ. ସାମନ୍ତ କହିଥିଲେ । ଏହି ଅବସରରେ ଅନ୍ୟତମ ନିଯୁକ୍ତିଦାତା ମହାରାଷ୍ଟ୍ର ଚାମ୍ବରସ ଅଫ କମର୍ସ, ଇଣ୍ଡଷ୍ଟ୍ରି ଓ ଏଗ୍ରିକଲଚରର ସଭାପତି ଲଳିତ ଗାନ୍ଧୀ ଯୋଗ ଦେଇ କହିଲେ, ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଯୁବକମାନେ ଅଧିକ କୁଶଳୀ ଓ ଦକ୍ଷ । ମହାରାଷ୍ଟ୍ରର ବିଭିନ୍ନ ଶିଳ୍ପ ସଂସ୍ଥାରେ ବର୍ଷକୁ ୫ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ କୁଶଳୀ ଓ ଦକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବା ନିମନ୍ତେ ସେ ପ୍ରତିଶ୍ରୁତି ଦେଇଥିଲେ । ନିଯୁକ୍ତି ମେଳାରେ ଫୁଲବାଣୀ ଓ ବାଲିଗୁଡା ବିଧାୟକଙ୍କ ସହ ଜିଲ୍ଲାର ବହୁ ଅଧିକାରୀ ଯୋଗ ଦେଇଥିଲେ ।