Onn 3

ସଂସଦ ଆକ୍ରମଣ ନେଇ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ

National & International

 

blob061223113650

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଡିସେମ୍ବର ୧୩ କିମ୍ବା ତା’ପୂର୍ବରୁ ଭାରତୀୟ ସଂସଦ ଉପରେ ଆକ୍ରମଣ କରିବେ। ସୂଚନାଯୋଗ୍ୟ,  ୨୦୦୧ ଡିସେମ୍ବର ୧୩ରେ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୨ବର୍ଷ ପୂର୍ତ୍ତି ହେବ।

୨୦୦୧ରେ ସଂସଦ ଆକ୍ରମଣର ଦୋଷୀ ଅଫଜଲ ଗୁରୁର ଫଟୋଥିବା ପୋଷ୍ଟରରେ ‘ଦିଲ୍ଲୀ ବନେଗା ଖଲିସ୍ତାନ’ (ଦିଲ୍ଲୀ ଖଲିସ୍ତାନରେ ପରିଣତ ହେବ) ଶୀର୍ଷକ ଥିବା ଏହି ଭିଡିଓରେ ପନ୍ନୁ କହିଛନ୍ତି ଯେ ଭାରତୀୟ ଏଜେନ୍‌ସିମାନଙ୍କ ଦ୍ୱାରା ତାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ବିଫଳ ହୋଇଛି। ଡିସେମ୍ବର ୧୩ କିମ୍ବା ଏହା ପୂର୍ବରୁ ସଂସଦ ଉପରେ ଆକ୍ରମଣ କରି ଏହାର ଜବାବ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସୋମବାରଠାରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ପନ୍ନୁ ଏହି ଧମକ ଦେଇଛନ୍ତି। ଏହି ଅଧିବେଶନ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ।

ପନ୍ନୁଙ୍କ ଧମକପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷା ଏଜେନ୍‌ସିମାନେ ହାଇଆଲର୍ଟରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ଏଜେନ୍‌ସି ଆଇଏସଆଇର କେ-୨ (କଶ୍ମୀର-ଖଲିସ୍ତାନ) ଡେସ୍କ ପନ୍ନୁଙ୍କୁ ଭାରତ ବିରୋଧୀ ପ୍ରଚାର କରିବାର ଏଜେଣ୍ଡାକୁ ଆଗକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ ମଧ୍ୟ ହାଇଆଲର୍ଟରେ ରହଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ସଂସଦ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଇନ ଶୃଙ୍ଖଳା ବିଗିଡ଼ିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଯେତେବେଳେ ସଂସଦ ଚାଲିଥାଏ, ଆମେ ସତର୍କ ରହିଥାଉ। ଯେକୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଆମେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଉଛୁ ଏବଂ ସମଗ୍ର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଗତ ମାସରେ ଫାଇନାନ୍‌ସିଆଲ ଟାଇମ୍‌ସ ଅଜ୍ଞାତ ସୂତ୍ରରୁ ପ୍ରକାଶ କରିଥିଲା ଯେ ଆମେରିକା କର୍ତ୍ତୃପକ୍ଷ ପନ୍ନୁଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ରକୁ ବିଫଳ କରିଛନ୍ତି ଏବଂ ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଆଶଙ୍କାରେ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ପନ୍ନୁ ଆମେରିକାସ୍ଥିତ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ ଏଫ୍‌ ଜେ)ର ମୁଖ୍ୟ, ଯାହାକୁ ଭାରତରେ ନିଷିଦ୍ଧ କରାଯାଇଛି।