ନୂଆଦିଲ୍ଲୀ : ୨୦୦୫ରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନ ଅତି ଶୀଘ୍ର ଏକ ‘ମୃତ ଆଇନ’ରେ ପରିଣତ ହୋଇଯାଇଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ନାଗରିକଙ୍କୁ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଆସିଥିବା ଏହି ଆଇନ ଶେଷ ହେବାକୁ ବସିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନା ଅଧିକାର ଆଇନ ଅଧୀନରେ ବିଭିନ୍ନ ପଦବୀ ଖାଲି ପଡ଼ିଥିବାକୁ ନେଇ କରାଯାଇଥିବା ଏକ ଆବେଦନ ଉପରେ ବିଚାର ସମୟରେ ଏପରି କହିଛନ୍ତି ସର୍ବୋଚ୍ଚ ଅଦାଲତ। ସମାଜସେବୀ ଅଞ୍ଜଳି ଭରଦ୍ୱାଜ ଏହି ଆବେଦନ କରିଥିଲେ। ମୁଖ୍ୟ ସୂଚନା କମିଶନରେ ଅନେକ ପଦବୀ ଖାଲି ପଡ଼ିଥିବା ଦର୍ଶାଇ ସେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ।
ଏ ଉପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି. ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର କରିଥିଲେ। ଏହି ସମୟରେ ଆବେଦନକାରୀ ଅଞ୍ଜଳିଙ୍କ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଉପସ୍ଥାପନ କରିଥିଲେ ଯେ, ମୁଖ୍ୟ ସୂଚନା କମିଶନ(ସିଆଇସି)ରେ ୧୧ଟି ସୂଚନା କମିଶନର ପଦବୀ ମଧ୍ୟରୁ ୭ ପଦବୀ ଖାଲି ପଡ଼ିଛି ଏବଂ ବର୍ତ୍ତମାନ ଥିବା ଏକାଧିକ ସୂଚନା କମିଶନର ନଭେମ୍ବରରେ ଅବସର ନେବେ।
ସେ କହିଛନ୍ତି ଯେ, ରାଜ୍ୟ ସ୍ତରରେ ସୂଚନା ଆୟୋଗର ଅବସ୍ଥା ଆହୁରି ଖରାପ। ଝାଡ଼ଖଣ୍ଡ ରାଜ୍ୟ ସୂଚନା ଆୟୋଗରେ ମେ ୨୦୨୦ରୁ କାର୍ଯ୍ୟ ବନ୍ଦ ରହିଛି। ତେଲେଙ୍ଗାନା ଏସଆଇସି(ଷ୍ଟେଟ୍ ଇନଫରମେସନ୍ କମିଶନର୍ସ)ରେ ସୂଚନା କମିଶନରର ସମସ୍ତ ପଦବୀ ଫେବୃଆରୀରେ ଏବଂ ଜୁଲାଇ ୨୦୨୧ରୁ ତ୍ରିପୁରାରେ ଖାଲି ପଡ଼ିଛି।
ଏସବୁ ଶୁଣିବା ପରେ ସୁପ୍ରିମକୋର୍ଟ ଖାଲିଥିବା ପଦବୀଗୁଡିକୁ ପୂରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ସୂଚନା ଆୟୋଗରେ ଖାଲିଥିବା ପଦବୀ ପୂରଣ କରିବାରେ ବିଫଳ ହୋଇ ରାଜ୍ୟମାନେ ଆରଟିଆଇ ଆଇନକୁ ଏକ ‘ମୃତ ଆଇନ’ରେ ପରିଣତ କରିଛନ୍ତି।
ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ ସୂଚନା କମିଶନର ମଞ୍ଜୁରୀପ୍ରାପ୍ତ ପଦବୀ, ଖାଲିଥିବା ପଦବୀ, ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଶା କରାଯାଉଥିବା ଖାଲି ପଦବୀ ଏବଂ ଆରଟିଆଇ ଅଧିନିୟମ ଅନୁଯାୟୀ ବିଚାରାଧୀନ ଥିବା ଅଭିଯୋଗ ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରିବାକୁ କହିଛନ୍ତି। ଏ ଉପରେ ତିନି ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏକ ରିପୋର୍ଟ ମାଗିଛନ୍ତି ଖଣ୍ଡପୀଠ।
ଆରଟିଆଇ ଅଧିନିୟମ ଜୁନ୍ ୧୫, ୨୦୦୫ରେ ଲାଗୁ ହୋଇଥିଲା। ଏହା ନାଗରିକଙ୍କ ପାଇଁ ସୂଚନା ଅଧିକାରର ଏକ ବ୍ୟବହାରିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ନାଗରିକଙ୍କ ସହ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ ଦେବାକୁ ଆରଟିଆଇ ନିୟମ ଆରମ୍ଭ ହୋଇଥିଲା।